ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଟାଙ୍କି ବନ୍ଦ । ନାହିଁ ନଥିବା ହଇରାଣ ହେଉଛନ୍ତି ଚାଳକ । ନଗଦ ଟଙ୍କା କାରବାର ହେଉନଥିବାରୁ ଆସିପାରୁନି ପେଟ୍ରୋଲ । ଟାଙ୍କିକୁ ତେଲ ଦେଉ ନାହାନ୍ତି କମ୍ପାନୀ । ତେଲ କମ୍ପାନୀଙ୍କ କହିବା ଅନୁଯାୟୀ ତେଲ ଟାଙ୍କି ମାଲିକମାନେ ନଗଦ ଟଙ୍କା ଦେଇ କମ୍ପାନୀଠୁ ତେଲ କିଣିବେ । ଏବେ ବାକି କାରବାର ବନ୍ଦ ହୋଇ ଥିବାରୁ ନଗଦ ନଦେଲେ ଟାଙ୍କିରେ ତେଲ ଦିଆଯାଉ ନାହିଁ । ଫଳରେ ଗ୍ରାହକ ହଇରାଣ ହେଉଛନ୍ତି ।
ଗତକାଲି ଭୁବନେଶ୍ଵରର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସାମନ୍ତରାପୁରରେ ଥିବା ଏକ ପେଟ୍ରୋଲ ପମ୍ପ ସାମନାରେ ଗାଡ଼ି ଧାଡ଼ି କରି ଠିଆ ହୋଇଥିଲେ ଲୋକେ । ଆଜିଠୁ ପେଟ୍ରୋଲ ସଙ୍କଟ ହେବା ଭୟରେ ଲୋକେ ତେଲ ପକାଇବାକୁ ଲାଇନ୍ ଲଗାଇଥିଲେ । ଠେଲାପେଲା ବି ହୋଇଥିଲା । ରାଜଧାନୀର ଅନ୍ୟ ଟାଙ୍କି ଗୁଡ଼ିକରେ ମଧ୍ୟ ସେମିତି ଭିଡ଼ ଦେଖିବାକୁ ମିଳିଥିଲା । ପେଟ୍ରୋଲ ଡିଲର୍ସ ସଂଘର ସଭାପତି ସଂଜୟ ଲାଠ୍ କହିଛନ୍ତି, ଶନିବାର, ରବିବାର ବ୍ୟାଙ୍କ ଛୁଟି ଥିଲା । ଏଥିପାଇଁ ଟଙ୍କା ଡିପୋଜିଟ୍ ହୋଇ ପାରିନଥିଲା । ତେଣୁ ତୈଳ କମ୍ପାନି ତେଲ ଦେଇନଥିଲେ । ଯାହା ଫଳରେ ସୋମବାର ପେଟ୍ରୋଲ ଗାଡ଼ି ବିଳମ୍ବରେ ପହଞ୍ଚିଥିଲା । ତେଣୁ ଭୁବନେଶ୍ୱରେ ୩ ଟାଙ୍କି ସକାଳୁ ଅଚଳ ଥିଲା । ପରେ ସ୍ୱାଭାବିକ ହୋଇଥିଲା । ତେବେ ଲୋକେ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।













Leave a Reply