ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରାକ୍ଟର ପଛପଟୁ ଏକ ବାଇକ୍ ଧକ୍କା ଦେବାରୁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବିନିକା ପିଏଚ୍ଡି ଅଫିସ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦୁଇଜଣଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର-ବିନିକା ରାସ୍ତାକଡ଼ରେ ଏକ ଟ୍ରାକ୍ଟର ଛିଡ଼ା ହୋଇଥିଲା। ଏହି ସମୟରେ ଏକ ବାଇକ୍ ବିନିକା ଆଡ଼କୁ ଦ୍ରୁତ ଗତିରେ ଆସୁଥିବାବେଳେ ଟ୍ରାକ୍ଟରର ପଛପଟେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ଦାର ଥିଲା ଯେ ବାଇକ୍ରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ ଉଭୟ ଆହତଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଡାକ୍ତର ଦୁଇ ବାଇକ୍ ଆରୋହୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ପରିସ୍ଥିତି ସମ୍ପର୍କରେ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।














Leave a Reply