ଭୁବନେଶ୍ୱର: ଓଡ଼ିଶାରେ ବଦଳିବେ ରାଜ୍ୟପାଳ। ଡକ୍ଟର ହରି ବାବୁ କମ୍ଭମପାଟିଙ୍କ ସ୍ଥାନରେ ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ଘୋଷଣା ପରେ ହରି ବାବୁଙ୍କ କାର୍ଯ୍ୟକାଳ ଓ ତାଙ୍କ ସମୟରେ ନିଆଯାଇଥିବା ପ୍ରମୁଖ ପଦକ୍ଷେପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୫ ଜାନୁଆରୀ ୩ରେ ରାଜ୍ୟପାଳ ଭାବେ ଶପଥ ନେଇଥିବା ହରି ବାବୁଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପୂରିବା ପୂର୍ବରୁ ଶେଷ ହେବାକୁ ଯାଉଛି। ଅନ୍ୟପଟେ ନୂଆ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ହରି ବାବୁଙ୍କ ପାଇଁ ଆଗକୁ କୌଣସି ନୂଆ ଦାୟିତ୍ୱ ଘୋଷଣା ହୋଇନାହିଁ।
୨୦୨୪ ଡିସେମ୍ବରରେ ନିଯୁକ୍ତି, ଜାନୁଆରୀରେ ଶପଥ
୨୦୨୪ ଡିସେମ୍ବର ୨୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରି ବାବୁ କମ୍ଭମପାଟିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ଏହି ନିଯୁକ୍ତି ହୋଇଥିଲା। ୨୦୨୫ ଜାନୁଆରୀ ୩ରେ ଭୁବନେଶ୍ୱରସ୍ଥିତ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ତାଙ୍କୁ ଶପଥ ପାଠ କରାଇଥିଲେ। ସେ ରଘୁବର ଦାସଙ୍କ ସ୍ଥାନ ନେଇଥିଲେ।
ଉଚ୍ଚଶିକ୍ଷା ଓ ବିଶ୍ୱବିଦ୍ୟାଳୟରେ ସଂସ୍କାର ଉପରେ ଗୁରୁତ୍ୱ
ରାଜ୍ୟପାଳ ଭାବେ ହରି ବାବୁ କମ୍ଭମପାଟି ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ କେତେକ ପ୍ରମୁଖ ପଦକ୍ଷେପ ନେଇଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ କୁଳପତି ନିଯୁକ୍ତି, ଖାଲି ଅଧ୍ୟାପକ ପଦ ପୂରଣ ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଥିଲେ। ତାଙ୍କ କାର୍ଯ୍ୟକାଳରେ ଗୋଟିଏ ଦିନରେ ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି ହୋଇଥିଲା। ଏହା ସହିତ ୨୦୨୬ ଅକ୍ଟୋବର ୩ରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନଭେମ୍ବର ଶେଷ ସୁଦ୍ଧା ଖାଲି ଶିକ୍ଷକ ପଦ ପୂରଣ ପ୍ରକ୍ରିୟା ଶେଷ କରିବାକୁ ସେ କହିଥିଲେ। ଉଚ୍ଚଶିକ୍ଷାର ଗୁଣବତ୍ତା ବଢ଼ାଇବା ସହ ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଦ ପୂରଣ ତାଙ୍କ କାର୍ଯ୍ୟକାଳର ଏକ ପ୍ରମୁଖ ଆଲୋଚ୍ୟ ବିଷୟ ଥିଲା।
ଗ୍ରାମାଞ୍ଚଳର ବିକାଶ ପାଇଁ ବିଶ୍ୱବିଦ୍ୟାଳୟକୁ ଆହ୍ୱାନ
୨୦୨୬ ଅଗଷ୍ଟରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅତି କମ୍ରେ ଗୋଟିଏ ଲେଖାଏଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହରି ବାବୁ ଆହ୍ୱାନ ଦେଇଥିଲେ। ଗ୍ରାମାଞ୍ଚଳରେ ଦକ୍ଷତା ବିକାଶ, ଉଦ୍ୟୋଗ ସୃଷ୍ଟି ଓ ରୋଜଗାର ସୁଯୋଗ ବଢ଼ାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ପାଠପଢ଼ାରେ ସୀମିତ ନ ରହି ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ଭାଗୀଦାର ହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସବୁଜ ଶକ୍ତି ଓ ସୌରଶକ୍ତିକୁ ପ୍ରୋତ୍ସାହନ
ହରି ବାବୁଙ୍କ କାର୍ଯ୍ୟକାଳରେ ଲୋକଭବନ ପରିସରରେ ୪୮୫ କିଲୋୱାଟ୍ ପିକ୍ କ୍ଷମତାର ଏକ ନୂଆ ରୁଫ୍ଟପ୍ ସୌରଶକ୍ତି ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। ଏହା ଫଳରେ ଲୋକଭବନର ମୋଟ ସୌରଶକ୍ତି ଉତ୍ପାଦନ କ୍ଷମତା ୬୩୫ କିଲୋୱାଟ୍ରେ ପହଞ୍ଚିଥିଲା। ଏଥିସହ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସବୁଜ କ୍ୟାମ୍ପସ୍ ଗଠନ ଓ ସୌରଶକ୍ତି ବ୍ୟବହାର ପାଇଁ ମଧ୍ୟ ସେ ଉତ୍ସାହିତ କରିଥିଲେ।
ନୂଆ ରାଜ୍ୟପାଳଙ୍କ ଦାୟିତ୍ୱ ଗ୍ରହଣକୁ ଅପେକ୍ଷା
ନିକଟରେ ୨୦୨୬ ଅକ୍ଟୋବର ୯ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଭବନରେ ହରି ବାବୁଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ରାଜ୍ୟର ବିକାଶ, ଜନକଲ୍ୟାଣ ଓ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଏବେ ବ୍ରଜ ମୋହନ ରାମଙ୍କ ନିଯୁକ୍ତି ଘୋଷଣା ପରେ ତାଙ୍କ ଦାୟିତ୍ୱ ଗ୍ରହଣ ଉପରେ ନଜର ରହିଛି। ସେ ଦାୟିତ୍ୱ ନେବା ପରେ ରାଜ୍ୟପାଳ ପଦରେ ପରିବର୍ତ୍ତନ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ହେବ। ଅନ୍ୟପଟେ ହରି ବାବୁ କମ୍ଭମପାଟିଙ୍କ ପରବର୍ତ୍ତୀ ଦାୟିତ୍ୱ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା ହୋଇନାହିଁ।














Leave a Reply