ଶୀଘ୍ର ଭଙ୍ଗା ଯିବ କଟକର ସମସ୍ତ ବିପଦସଙ୍କୁଳ କୋଠା; ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: କଟକର ସମସ୍ତ ବିପଦସଙ୍କୁଳ କୋଠାଗୁଡ଼ିକୁ ଶୀଘ୍ର ଭଙ୍ଗା ଯିବ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ବିଶେଷ କମିଟି ଗଠନ ହୋଇଛି । କଟକ ମହାନଗର ନିଗମର ସବୁ ୱାର୍ଡରେ ସର୍ଭେ କରୁଛନ୍ତି ସଦସ୍ୟ । ସର୍ଭେ ପରେ ଚିହ୍ନଟ ବିପଦସଙ୍କୁଳ କୋଠା ମାଲିକଙ୍କୁ ନୋଟିସ୍ ଦେଇ ଭଙ୍ଗାଯିବ । ପରବର୍ତ୍ତୀ ସମୟରେ ଆଇନ ଅନୁଯାୟୀ କୋଠା ଭଙ୍ଗାଯିବ । କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ନଭେମ୍ବର ୮ ତାରିଖରେ ଏକ ପୁରୁଣା କୋଠା ଭାଙ୍ଗିଯିବାରୁ କଟକ ମଣିସାହୁ ଛକ ହାଡିବନ୍ଧୁ ହାଇସ୍କୁଲ ନିକଟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ହୋଇଥିଲେ । ତେବେ ଅଘଟଣ ଘଟିଥିବା ଏ ଆପାର୍ଟମେଣ୍ଟର ବିଲ୍‌ଡିଂ ଆପ୍ରୁଭାଲ୍ ନଥିଲା । ବେଆଇନ ଭାବେ କରାଯାଇଥିଲା ୬ ମହଲା କୋଠା । ତା’ଛଡ଼ା ଆପାର୍ଟମେଣ୍ଟର ମାଲିକାନାକୁ ନେଇ ବି ବିବାଦ ଲାଗିରହିଛି । କଟକରେ ଏମିତି ମାଳମାଳ ଅସୁରକ୍ଷିତ ବିଲ୍‌ଡିଂ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)