ଢେଙ୍କାନାଳରେ ବ୍ଲକ ସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫’ ଅନୁଷ୍ଠିତ ।

ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସ୍ଥିତ ମିନି ଷ୍ଟାଡିୟମ୍ ପଡ଼ିଆଠାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫’ ଅନୁଷ୍ଠିତ ହୋଇଯାଇଛି । ମେଳାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ତାଙ୍କ ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗୀୟ କାର୍ଯ୍ୟକର୍ତ୍ତା ଏବଂ ଚାଷୀ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସକାଳ 9 ରୁ ଆରମ୍ଭ ହୋଇ ଅପରାହ୍ନ 5 ପର୍ଯ୍ୟନ୍ତ ଚାଲିଥିଲା । ମେଳାରେ ଅନ୍ୟାନ୍ୟ ଆଲୋଚନା ଚକ୍ର ସହ ସେଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି ଅବସରରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଜ ଅଭିଭାଷଣ ରଖି କହିଥିଲେ ଯେ, ‘କୃଷି ଓ ଆନୁସଙ୍ଗିକ କାର୍ଯ୍ୟକୁ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟର ପ୍ରାୟ ୬୦ ପ୍ରତିଶତ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ । ସମଗ୍ର ଚାଷୀକୁଳର ପ୍ରାୟ ୯୩ ପ୍ରତିଶତ ମୁଖ୍ୟତଃ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଅଟନ୍ତି । ୨୦୧୫-୧୬ କୃଷିଜନଗଣନା ଅନୁଯାୟୀ, ଓଡ଼ିଶାରେ ୨୦୧୧-୧୨ ମସିହାରେ ୪୮.୫୨ ଲକ୍ଷ ହେକ୍ଟର କାର୍ଯ୍ୟକ୍ଷମ ଜମି ଥିଲା, ଯାହାକି ସହରୀକରଣ ଏବଂ ଅଣ-କୃଷି ଉଦ୍ଦେଶ୍ୟରେ କୃଷି ଜମିକୁ ପରିବର୍ତ୍ତନ କରିବା ଯୋଗୁଁ ୪୬.୧୯ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି । ଏହାସତ୍ତ୍ୱେ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମନା କରି ଆର୍ଥିକ ବର୍ଷରେ ଆମରାଜ୍ୟ ୧୪.୩୦ ନିୟୁତ ଟନ୍ ଖାଦ୍ୟ ଶସ୍ୟ ଉତ୍ପାଦନ କରିପାରିଛି । ଆଜି ଓଡିଶା ଧାନ ଉତ୍ପାଦନରେ ଏକ ବଳକା ରାଜ୍ୟ ଭାବରେ ପରିଗଣିତ । ଏହା ଚାଷୀ ଭାଇ ଓ ଭଉଣୀ ମାନଙ୍କର ଅଦମ୍ୟ ଚେଷ୍ଟା, କୃଷି ବୈଜ୍ଞାନିକମାନଙ୍କ ଦ୍ୱାରା ନୂତନ କିସମର ବିକାଶ ଓ ସୁଚିନ୍ତିତ ସରକାରୀ ଯୋଜନା ପ୍ରଣୟନ ଫଳରେ ସମ୍ଭବ ହୋଇଛି’ ।

ଆହୁରି ମଧ୍ୟ କହିଥିଲେ ଯେ, ‘ଓଡ଼ିଶା ଦଶଟି କୃଷି-ଜଳବାୟୁ କ୍ଷେତ୍ରରେ ବିଭକ୍ତ ଏବଂ ଏଥିରେ ଆଠ ପ୍ରକାରର ମୃର୍ତ୍ତିକା ରହିଛି । ଭାରତର ମୋଟ ଜଳସମ୍ପଦର ପ୍ରାୟ ୧୧ ପ୍ରତିଶତ ଓଡ଼ିଶାରେ ରହିଛି । ବିବିଧ ଜଳବାୟୁ ଏବଂ ମୃଭିକା ଯୋଗୁଁ, ଓଡ଼ିଶାକୁ “ମିନି-ଇଣ୍ଡିଆ” ଭାବରେ ବିବେଚନା କରାଯାଇପାରିବ ଏବଂ ଏହା ରାଜ୍ୟରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବହୁବିଧ ଉତ୍ପାଦନର ସୁଯୋଗ ସୁନିଶ୍ଚିତ କରିପାରିଛି । ରାଜ୍ୟବାସୀଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇ ଦେବା ନିମନ୍ତେ ଆମ ସମସ୍ତଙ୍କର ମିଳିତ ପ୍ରୟାସ ଏକାନ୍ତ ଆବଶ୍ୟକ । ନିକଟ ଅତୀତରେ ରାଜ୍ୟ ସରକାରଙ୍କ ଦ୍ୱାରା ଆଗାମୀ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟବରାଦରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଶୁଭାରମ୍ଭ କରାଯାଇଛି । ଯାହାକି, ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରିବ । ଏହାଛଡା National Diary Development Board ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ସହାୟତା ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ଅର୍ଥନୀତିରେ ମତ୍ସ୍ୟ କ୍ଷେତ୍ରର ଏକ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି ଏବଂ ଏହି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବାର ବିଶାଳ ସମ୍ଭାବନା ମଧ୍ୟ ରହିଛି ।

ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଓଡ଼ିଶାରେ ୭.୩୪ ଲକ୍ଷ ମେଟ୍ରିକ୍ ଟନ୍ ମଧୁର ଜଳ ମାଛ; ୧.୬୩ ଲକ୍ଷ ମେଟ୍ରିକ୍ ଟନ୍ ଲୁଣିମାଛ ଏବଂ ୨.୨୭ ଲକ୍ଷ ମେଟ୍ରିକ୍ ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ହୋଇଥିଲା ଯାହା କି ମୋଟ ୧୧.୨୪ ଲକ୍ଷ ମେଟ୍ରିକ୍ ଟନ୍ ଅଟେ । ଏହା ରାଜ୍ୟକୁ ଭାରତର ଚତୁର୍ଥ ବୃହତ ମାଛ ଉତ୍ପାଦନକାରୀ ରାଜ୍ୟରେ ପରିଣତ କରିଛି । ରାଜ୍ୟରେ ମୁଣ୍ଡପିଛା ମାଛ ବ୍ୟବହାର ୨୦୧୪-୧୫ ଆର୍ଥିକ ବର୍ଷରେ ୧୧,୧୦ କିଲୋଗ୍ରାମ ଥଲାବେଳେ, ୨୦୨୩-୨୪ ବେଳକୁ ଏହା ୧୮.୩୩ କିଲୋଗ୍ରାମକୁ ବୃଦ୍ଧି ପାଇଛି । ଆମେରିକା, ଚୀନ୍, ଜାପାନ, ଭିଏତନାମ, ଥାଇଲ୍ୟାଣ୍ଡ, UAE, ସ୍ପେନ୍ ଏବଂ ଇଟାଲୀର ଅନ୍ତର୍ଜାତୀୟ ବଜାରରେ ଓଡିଶାରେ ଉତ୍ପାଦନ ହେଉଥିବା ମଧୁର ଜଳ ମାଛ, ସାମୁଦ୍ରିକ ମାଛ ଏବଂ ସାମୁଦ୍ରିକ ଖାଦ୍ୟର ଉଚ୍ଚ ଚାହିଦା ରହିଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ଭଳି ଯୋଜନା ମାଧ୍ୟମରେ ସରକାର ମତ୍ସ୍ୟଚାଷ ପାଇଁ ପ୍ରମୁଖ ସହାୟତା ଯୋଗାଇ ଦେଉଛନ୍ତି । ମତ୍ସ୍ୟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଗତ କିଛି ବର୍ଷ ମଧ୍ୟରେ 3,500 କୋଟିରୁ ଅଧିକ ଟଙ୍କା ଯୋଜନା ଗୁଡିକ ମାଧ୍ୟମରେ ନିବେଶ କରାଯାଇଛି । ବଦଳି ଯାଇଥିବା ପାଣିପାଗ, ବିଶ୍ୱ ତାପନ, ପରିବର୍ତ୍ତିତ ଖାଦ୍ୟଶୈଳୀ ଓ ବଜାର ଚାହିଦା ଇତ୍ୟାଦିକୁ ଦୃଷ୍ଟିରେ ରଖି କୃଷି ବୈଜ୍ଞାନିକ ମାନେ ପନିପରିବା, ଡାଲି ତଥା ତୈଳବୀଜ ଜାତୀୟ ଫସଲର ନୂତନ ତଥା ଅଧିକ ଅମଳକ୍ଷମ ବିହନମାନ ବିକଶିତ କରିବା ଆବଶ୍ୟକ ।

ଆମ ଅର୍ଥନୀତି ହେଉଛି କୃଷି ଭିତ୍ତିକ ଅର୍ଥନୀତି । କୃଷି ହେଉଛି ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ରୋଜଗାରର ଉତ୍ସ ! ସମୃଦ୍ଧ କୃଷକ ଯୋଜନାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଵିଣ୍ଟାଲ ପିଛା ୮୦୦ ଟଙ୍କାର ଅତିରିକ୍ତ ସହାୟତା ଆମ ସରକାର ପ୍ରଦାନ କରିଛନ୍ତି ।
ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି, “ଅନ୍ନାଦ୍ ଭବନ୍ତି ଭୂତାନି ।’ ଅର୍ଥାତ ଅନ୍ନ ହେଉଛି ଜୀବର ଆଧାର । କୁହାଯାଏ ଅନ୍ନ ହିଁ ବ୍ରହ୍ମ । ସେଥିପାଇଁ ଆମେ ସମସ୍ତେ ଅନ୍ନ ଓ ଅନ୍ନଦାତା ନିକଟରେ କୃତଜ୍ଞ । ଏହି ଅନ୍ନଦାତାଙ୍କର ମଙ୍ଗଳ ପାଇଁ ଆମ ଡବଲ୍ ଇଂଜିନ୍ ସରକାର ଅଙ୍ଗୀକାରବଦ୍ଧ ।
ଓଡ଼ିଶା କନ୍ଦମୂଳ ଉତ୍ପାଦନରେ ପ୍ରଥମ, ସୂର୍ଯ୍ୟମୁଖୀ ଉତ୍ପାଦନରେ ଦ୍ୱିତୀୟ, କାଜୁ, ପଣସ ଓ ଅଦା ଉତ୍ପାଦନରେ ତୃତୀୟ, ଚିଙ୍ଗୁଡ଼ି ଓ ଟମାଟୋ ଉତ୍ପାଦନରେ ଚତୁର୍ଥ, ଶୁଖୁଲା ଲଙ୍କା ଓ ଚାଉଳ ଉତ୍ପାଦନରେ ପଞ୍ଚମ, ନଡ଼ିଆ ଓ ରସୁଣ ଉତ୍ପାଦନରେ ଷଷ୍ଠ, ପନିପରିବା ଉତ୍ପାଦନରେ ସପ୍ତମ, ଅଣ୍ଡା ଉତ୍ପାଦନରେ ଦଶମ ସ୍ଥାନରେ ରହିଛି । ଧାନ, ତୈଳବୀଜ, ଆଳୁ, ମକା, ମସଲାର ପ୍ରମୁଖ ଉତ୍ପାଦକ ଭାବେ ଓଡ଼ିଶାର ସୁଖ୍ୟାତି ରହିଛି । କୋରାପୁଟରେ ୬୬୦ ମେଟ୍ରିକ୍ ଟନ୍ ଆରବିକା କଫି ଉତ୍ପାଦିତ ହେଉଛି ଏବଂ ୨ ହଜାର ୮୬୯ ଲକ୍ଷ ମେଟ୍ରିକ୍ ଟନ୍ ମିଲେଟ୍ ଓଡ଼ିଶାରେ ଉତ୍ପାଦିତ ହୋଇଛି’ ବୋଲି ମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମ ଶେଷରେ ବ୍ଲକର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସମ୍ବଦ୍ଧରେ ସମସ୍ତେ ସଂକ୍ଷେପ ଆଲୋଚନା କରିବା ସହ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଅନୁସାରେ, ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯଥା- ଢେଙ୍କାନାଳ ମୁନସିପାଲଟି ପୌରାଧ୍ୟକ୍ଷା ଶ୍ରାମତି ଜୟନ୍ତୀ ପାତ୍ର, ସଦର ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ବାରିକ, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ, ବିଡିଓ ସଦର ବ୍ଲକ, ରୁଦ୍ର ନାରାୟଣ ତ୍ରିପାଠୀ-ଏମ.ପି, ନୋମିନି ଏବଂ ବିଷ୍ଣୁ ପ୍ରସାଦ ଲେଙ୍କା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରାଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)