ଅକ୍ଷର ବ୍ୟୁରୋ: ଆଜି ବଜେଟ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ୧୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୨୦ରେ ଉପସ୍ଥାପନ କରାଯିବ ରାଜ୍ୟ ବଜେଟ୍ । ଲୋକସେବା ଭବନରେ ଆଜି ଅପରାହ୍ନ ୩ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ବଜେଟ୍ ସମୀକ୍ଷା । ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ଖର୍ଚ୍ଚ ନେଇ ଆଲୋଚନା । ୨୦୨୬-୨୭ ବଜେଟ ପ୍ରସ୍ତାବକୁ ନେଇ ବିଭିନ୍ନ ବିଭାଗ ସହ ଚର୍ଚ୍ଚା । ମୁଖ୍ୟ ଶାସନ ସଚିବଙ୍କ ସମେତ ସବୁ ବିଭାଗର ସଚିବମାନେ ହେବେ ଉପସ୍ଥିତ । ଆସନ୍ତା ୧୭ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଏପ୍ରିଲ୍ ୮ ତାରିଖ ଯାଏଁ ହେବାକୁ ଥିବା ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ଏଥିରେ ମୋଟ ୨୮ଟି କାର୍ଯ୍ୟଦିବସ ରହିଛି ।
ପ୍ରଥମ ପର୍ଯ୍ୟାୟରେ ୧୭ରୁ ୨୪ ତାରିଖ ଯାଏଁ ହେବ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହେବ । ଫେବ୍ରୁଆରି ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ ଆଗତ ହେବ । ବିଜେପି ସରକାରର ଏହା ତୃତୀୟ ପୂର୍ଣ୍ଣାଙ୍ଗ ବଜେଟ ହେବ । ଫେବ୍ରୁଆରି ୧୭ ତାରିଖରେ ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିବେ । ୧୮ ଓ ୧୯ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ଆଲୋଚନା ହେବ । ୨୦ ତାରିଖରେ ବଜେଟ ଆଗତ ହେଲା ପରେ ୨୩ ଓ ୨୪ ତାରିଖରେ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ । ମାର୍ଚ୍ଚ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ ।












Leave a Reply