ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ରାଜ୍ୟସଭା ପାଇଁ ଗୋଟିଏ ପ୍ରାର୍ଥୀ ଦେବ । ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ୍ ହୋଇ ଜିତାଇବାକୁ ଚେଷ୍ଟା କରିବୁ । ନବୀନ ପଟ୍ଟନାୟକଙ୍କୁ ଆମ ସଭାପତି ଭେଟିବା ପରେ ଆହୁରି ସ୍ପଷ୍ଟତା ଆସିବ । ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବାରେ କିଛି ଅସୁବିଧା ନାହିଁ । ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ କରିବାରେ ବି କିଛି ଅସୁବିଧା ନାହିଁ ବୋଲି କାଡାମ କହିଛନ୍ତି । ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଏପ୍ରିଲରେ ଓଡ଼ିଶାର ୪ଟି ଆସନ ଖାଲି ହେଉଥିବାରୁ ଏହି ଆସନ ଗୁଡିକରେ ଭୋଟ ଗ୍ରହଣ କରାଯିବ ।
ଓଡ଼ିଶାରୁ ସାଂସଦ ମମତା ମହନ୍ତ, ସୁଜିତ କୁମାର, ମୁନା ଖାଁ, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି ୪ଆସନକୁ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବାରୁ ଦଳ ପାଇଁ ଦୁଇଟି ଆସନ ଅକ୍ତିଆର କରିବା ସହଜ ହୋଇଛି । ବିଜେପି ବାରମ୍ବାର ଯୁକ୍ତି ବାଢୁଛି ଯେ ତୃତୀୟ ଆସନ ବି ଅକ୍ତିଆର କରିବ । ତେବେ ଏହି ତୃତୀୟ ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଅସ୍ପଷ୍ଟ ରହିଛି । ସେପଟେ ବିଜେଡି ଦୁଇଟି ଆସନ ପାଇଁ ଅଣ୍ଟା ଭିଡିଛି । ଦଳ ବାରମ୍ବାର ନବୀନ ନିବାସରେ ବୈଠକ କରି ଏହା ଉପରେ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି । ତେବେ ଯଦି କଂଗ୍ରେସ ପ୍ରାର୍ଥୀ ଦିଏ ତେବେ ବିଜେଡି ସମର୍ଥନ କରିବ ନା ନାହିଁ ତାହା ଉପରେ ନଜର ରହିଛି ।












Leave a Reply