ନୂଆବର୍ଷ ଉପଲକ୍ଷେ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ୬୦ ପ୍ଲାଟୁନ୍‌‌ ପୋଲିସ୍ ଫୋର୍ସ ମୁତୟନ ନେଇ ସୂଚନା ।

ଅକ୍ଷର ବ୍ୟୁରୋ: ନୂଆବର୍ଷ ଉପଲକ୍ଷେ ପୁରୀରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବେ ଶ୍ରଦ୍ଧାଳୁ । ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରୀରେ ୬୦ ପ୍ଲାଟୁନ୍‌‌ ପୋଲିସ୍ ଫୋର୍ସ ମୁତୟନ କରାଯିବ । ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବରେ ୧୦ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩୩ ଉପଆରକ୍ଷୀ ଅଧୀକ୍ଷକ, ୬୨ ଇନ୍ସପେକ୍ଟର ଏବଂ ୨୪୫ ସବ୍ ଇନ୍ସପେକ୍ଟର ରହିବେ । ୩ ରୁ ୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏଭଳି ବନ୍ଦୋବସ୍ତ କରାଯାଇଛି । କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ଶୁକ୍ରବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଟ୍ରାଫିକ୍‌ ପରିଚାଳନା, ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଇଛି ।

ବଡ଼ଦାଣ୍ଡରେ ବଗଲା ଧର୍ମଶାଳାଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ନିଃଶୁଳ୍କ ଜୋତା ଓ ମୋବାଇଲ ଷ୍ଟାଣ୍ଡ୍‌ ସମେତ ଭ୍ରାମ୍ୟମାଣ ଶୌଚାଳୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ପ୍ରଭୁଙ୍କ ଦର୍ଶନ ପରେ ଉତ୍ତରଦ୍ବାର, ଦକ୍ଷିଣଦ୍ବାର, ପଶ୍ଚିମଦ୍ବାର ଦେଇ ପ୍ରସ୍ଥାନ କରିବେ । ଜାନୁଆରୀ ୧ରୁ ଅତ୍ୟଧିକ ଭିଡ଼ ଯୋଗୁଁ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ାଯିବ । ଦଳାଚକଟା ସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ବେଢ଼ା, ନାଟମଣ୍ଡପ ଓ ଜଗମୋହନରେ କୁଇକ୍ ରେସ୍ପନ୍ସ ଦଳ ମୁତୟନ କରାଯିବ । ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିବେ । ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ସିଂହଦ୍ବାର ସମ୍ମୁଖରେ ରହିବେ । ମନ୍ଦିର ଚତୁଃପାର୍ଶ୍ବରେ ପୋଲିସ୍ ସହାୟତା କେନ୍ଦ୍ର ଖୋଲାଯିବ ।

ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ, ଦିଗବାରେଣି ବହୁତଳ ପାର୍କିଂ ସମେତ ଅତିରିକ୍ତ ଗାଡ଼ି ପାର୍କିଂ ଷ୍ଟାଣ୍ଡ୍‌ କରାଯିବ । ରାଜ୍ୟ ବାହାର ଟୁରିଷ୍ଟ ଗାଡ଼ି ଗୁଡ଼ିକ ମାଳତିପାଟପୁର ବସ୍ ଟର୍ମିନାଲରେ ପାର୍କିଂ କରିବେ । ସମଙ୍ଗ, ତାଳବଣିଆ, ମଙ୍ଗଳାଘାଟ, ମଶାଣିଚଣ୍ଡୀ ନିକଟରେ ଅସ୍ଥାୟୀ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ । ଲୋକଙ୍କ ସୁରକ୍ଷା ପାଇଁ ୨୦୦ ଲାଇଫ ଗାର୍ଡ ମୁତୟନ ହେବେ । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ଚାରିଚକିଆ ଓ ଦୁଇଚକିଆ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ସମେତ ମାର୍କେଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡ ନୋ-ଭେହିକିଲ୍‌ ଜୋନ୍ କରାଯିବ । ତୀର୍ଥ ପୁଷ୍କରିଣୀଗୁଡ଼ିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ଓ ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)