ନିଜ ଜନ୍ମମାଟି ଟିଟଲାଗଡ ଗାଁରେ ପହଞ୍ଚିଲା ହ୍ୟୁମାନଙ୍କ ପାର୍ଥିବ ଶରୀର ।

ଅକ୍ଷର ବ୍ୟୁରୋ: ଜନ୍ମମାଟି ଟିଟଲାଗଡ ଡେଙ୍ଗ ଗାଁରେ ପହଞ୍ଚିଲା ହ୍ୟୁମାନଙ୍କ ପାର୍ଥିବ ଶରୀର । ବିରାଟ ଶୋଭାଯାତ୍ରାରେ ହ୍ୟୁମାନଙ୍କ ମରଶରୀରକୁ ନିଆଯାଉଛି । ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଗ୍ରାମବାସୀମାନେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ସୂଚନା ମୁତାବକ ସୋମବାର ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ତାଙ୍କ ପାର୍ଥିବ ଶରୀରକୁ ଟିଟଲାଗଡସ୍ଥିତ ବାସଭବନକୁ ନିଆଯାଇଛି । ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବା ପରେ ଶେଷ କୃତ୍ୟ ସମ୍ପନ୍ନ ହେବ ।

ଟିଟିଲାଗଡ଼ ପୌରାଞ୍ଚଳର ୱାର୍ଡ ନଂ ୧୨ ଦେ’ବନ୍ଧ ପଡ଼ା ନିବାସୀ ସ୍ୱର୍ଗତ ଶିକ୍ଷକ ରବି ସାଗର ଏବଂ ଶିକ୍ଷୟିତ୍ରୀ ଶେଫାଳୀ ସୁନାଙ୍କ ବଡ଼ପୁଅ ହ୍ୟୁମାନ ସାଗର ୧୯୯୦ ମସିହା ନଭେମ୍ବର ୨୫ ତାରିଖରେ ଏଠାରେ ଜନ୍ମଗ୍ରହଣ କରିଥିଲେ । ହ୍ୟୁମାନଙ୍କ ମା’ ଓ ବାପା ଉଭୟ ସଙ୍ଗୀତ ସଂଯୋଜକ ଥିଲେ । ତାଙ୍କ ପୂରା ପରିବାର ସଙ୍ଗୀତ ସାଧନା ପ୍ରତି ସମର୍ପିତ ଥିଲା । ହ୍ୟୁମାନଙ୍କ ସାନଭାଇ ନ୍ୟୁମାନ ସାଗରଙ୍କ ପୂର୍ବରୁ ୨୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଥିବା ବେଳେ କରୋନାରେ ପିତା ରବି ସାଗରଙ୍କ ପରଲୋକ ଘଟିଥିଲା । ଟିଟିଲାଗଡ଼ ସେଣ୍ଟ ଆନି ସ୍କୁଲରେ ହ୍ୟୁମାନ ପାଠ ପଢ଼ିଥିଲେ । ୨୦୧୭ରେ ସେ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ । ହ୍ୟୁମାନଙ୍କ ବିୟୋଗରେ ଟିଟିଲାଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)