ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବା ପଡିଲା ମହଙ୍ଗା; ସାମାଜିକ ଗଣମାଧ୍ୟମରେ ଗାଳି ଦେଇ ଯୁବକ ଗିରଫ ।

ଅକ୍ଷର ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମରେ ଗାଳି ଦେଇଥିବା ଜଣେ ଯୁବକଙ୍କୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଶନିବାର ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍ । ସେ ପିତା ସନାୱାଲ୍ଲାଙ୍କ ସହ ଗତ ୫ ବର୍ଷ ହେବ ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦପ୍ରସାଦରେ ଭଡାରେ ରହୁଥିଲା । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଆଇଆଇସି ଉମେଶ ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ସଦର ଥାନା ଅଞ୍ଚଳରେ ବିପ୍ଲବୀ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟ ହେବାର ଥିଲା । ତେବେ ସ୍ଥାପନ ହୋଇଥିବା ପ୍ରତିମୂର୍ତ୍ତି ଫଟୋକୁ ସେଠାର ବିଜେପି କର୍ମୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଅଭିଯୁକ୍ତ ଯୁବକ ଫେସବୁକ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଏତେ ଦିନପରେ ମନେ ପଡିଲା କି ବୋଲି ପ୍ରଶ୍ନ କରିବା ସହ ଅଶ୍ଳୀଳ ଭାଷାରେ ଇଙ୍ଗିତ କରିଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ଜଟଣୀ ନୂଆଗାଁ ଗ୍ରାମର ସବ୍ୟସାଚୀ ଦାସ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ସାଫିୱାଲ୍ଲାକୁ ଗିରଫ କରିଥିଲା । ଅଭିଯୁକ୍ତକୁ ଶନିବାର କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)