ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କ ପ୍ରତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ସମର୍ଥନ ।

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଶାସକ ଏନଡିଏ ପକ୍ଷରୁ ଘୋଷିତ ପ୍ରାର୍ଥୀ ଚନ୍ଦ୍ରପୁରମ୍‌ ପନ୍ନୁସ୍ୱାମୀ ରାଧାକୃଷ୍ଣନଙ୍କ ପ୍ରତି ସମର୍ଥନ ଘୋଷଣା କରିଛି ୱାଇଏସ୍‌ଆରସିପି। ଜଗନ ମୋହନ ରେଡ୍ଡିଙ୍କ ନେତୃତ୍ବାଧୀନ ୱାଇଏସ୍‌ଆର କଂଗ୍ରେସ ପାର୍ଟିର ସାଂସଦ ମାଡ୍ଡିଲା ଗୁରୁମୂର୍ତ୍ତି ସୋମବାର କହିଛନ୍ତି ଯେ, ଉପରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଦଳ ରାଧାକୃଷ୍ଣନଙ୍କୁ ସମର୍ଥନ କରିବ। ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୱାଇଏସ୍‌ଆରସିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କୁ ଭେଟିଥିଲେ।

ୱାଇଏସ୍‌ଆରସିପିର ଲୋକସଭାରେ ୪ ଓ ରାଜ୍ୟସଭାରେ ୭ଜଣ ସଦସ୍ୟ ଅଛନ୍ତି। ୱାଇଏସ୍‌ଆରସିପି ଏନଡିଏ କିମ୍ବା ବିରୋଧୀ ଇଣ୍ଡି ମେଣ୍ଟ ସହିତ ବିଧିବଦ୍ଧ ଭାବେ ଅନୁବନ୍ଧିତ ନାହିଁ। ୱାଇଏସ୍‌ଆରସିପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ବୀ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଏନଡିଏର ସହଯୋଗୀ ଦଳ। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ମଧ୍ୟ ରାଧାକୃଷ୍ଣନଙ୍କ ପ୍ରତି ନିଜର ସମର୍ଥନ ଘୋଷଣା କରିଛି। ଜେଡିଏ ଶାସକ ଏନଡିଏର ଏକ ଅଂଶୀଦାର ଦଳ। ରାଧାକୃଷ୍ଣନଙ୍କ ପ୍ରତି ନିଜ ଦଳର ସମର୍ଥନ ସମ୍ପର୍କରେ ନୀତୀଶ ସୋମବାର ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)