ଅକ୍ଷର ବ୍ୟୁରୋ: ୩ଦିନର ଅପରେସନ୍ ପରେ ସରିଲା ସାଲିଆ ସାହିରେ ଉଚ୍ଛେଦ ଅଭିଯାନ । ସମସ୍ତ ୫୬୨ଟି ଜବରଦଖଲ ଘର ମାଟିରେ ମିଶିଛି । ଆଜି ସେହି ଜବରଦଖଲ ମୁକ୍ତ ଅଞ୍ଚଳରେ ତାର ବାଡ ବନ୍ଧା ଯିବ । ଏଥିସହ ଆଗକୁ ସେଠାରେ ରାସ୍ତା ତିଆରି ହେବାକୁ ପ୍ରସ୍ତୁତି ଆରମ୍ଭ ହେବ । ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବିକଳ୍ପ ସମାନ୍ତରାଳ ରୁଟ୍ ନିର୍ମାଣ ପାଇଁ ବାଧା ସାଜୁଥିଲେ ସାଲିଆସାହି ବସ୍ତିର କିଛି ଜବରଦଖଲକାରୀ । ମୋଟ୍ ୫୬୨ଟି ଘର ଉଚ୍ଛେଦ ହୋଇଥିବାରୁ ପ୍ରସ୍ତାବିତ ୧୩ କିଲୋମିଟର ରାସ୍ତା କାମ ଆସନ୍ତା ମାସେ ଭିତରେ ଆରମ୍ଭ ହେବ । ଫଳରେ ସହର ଭିତରେ ଦୂର ହେବ ଟ୍ରାଫିକ୍ ସମସ୍ୟା । ଉଚ୍ଛେଦଙ୍କ ଭିତରୁ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ ।
ଗୋଟିଏ ଜାଗାରୁ ଉଚ୍ଛେଦ କଲେ, ଆଉ ଏକ ସରକାରୀ ଜାଗାକୁ ମାଡ଼ି ବସୁଥିଲେ ସିନା, ସରକାର ଯୋଗାଇ ଦେଇଥିବା ଚକାଚକ୍ ଆପାର୍ଟମେଣ୍ଟରେ ଯାଇ ରହିବାକୁ ମଙ୍ଗୁ ନଥିଲେ । ସେମାନଙ୍କର କେବଳ ଗୋଟିଏ ଜିଦ୍, ଘର ବଦଳରେ ଜମି ଦିଅ । ଆଉ ତାକୁ ନେଇ ଗତ ୨ ଦିନ ହେଲା, ଭୁବନେଶ୍ବର ସାଲିଆସାହି ବସ୍ତି ଉଛେଦ ପ୍ରକ୍ରିୟା ଭିତରେ ଲାଗିରହିଥିଲା ଛକାପଂଝା । ବିଏମସି କମିଶନର କହିଛନ୍ତି, ଉଚ୍ଛେଦଙ୍କ ଭିତରୁ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ । ଏବେ ସୁଦ୍ଧା ୪୫୫ଟି ଘର ମହଜୁଦ ରହିଛି । ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ । ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ ହେଉଛି । ବୁଦ୍ଧ ବିହାରରେ ଥିବା ଫ୍ଲାଟରେ ଅନେକ ଲୋକଙ୍କୁ ଥଇଥାନ କରାଗଲାଣି ।
ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ସାଲିଆସାହିରେ ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି । କାରଣ, ସେମାନେ ଏକାଧିକ ଘରକୁ ଭଡ଼ା ଲଗାଇଛନ୍ତି । କାଳେ ସେମାନଙ୍କ ଘର ଭାଙ୍ଗିଯିବ, ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି । ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ବସ୍ତି ହଟାଇ ସବୁ ଲୋକଙ୍କୁ ଥଇଥାନ କରାଯିବ ।












Leave a Reply