ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ; ଚାରି ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା, ସୂଚନା ଦେଇ କହିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଚାରି ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା । ତ୍ରୁଟିଶୂନ୍ୟ ଦର୍ଶନ ବ୍ୟବସ୍ଥା ହେବ । ପ୍ରୋଟୋକଲ୍ ଦର୍ଶନ ପାଇଁ ଏକ ଏସ୍ଓପି କରାଯିବ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ । ରତ୍ନ ଅଳଙ୍କାର ଗୁଡିକର ଡିଜିଟାଇଜେସନ କରାଯିବ । ଆଗକୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସହିତ ଇଂରାଜୀ ନୂତନ ବର୍ଷ ଆସୁଛି । ମୁଖ୍ୟ ପ୍ରଶାସକ ଏବଂ କମିଟିର ସଦସ୍ୟଙ୍କୁ ନେଇ ଅତିରିକ୍ତ ଏସ୍ଓପି ପ୍ରସ୍ତୁତ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ । ଅକ୍ଷୟ ତୃତୀୟା ପୂର୍ବରୁ ଗଣତି ମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ୱ ଦିଆଯାଇଛି ।

ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ କରାଯାଇଛି । ପୁରୀରେ ଯେତିକି ଏଟିଏମ୍ ରହିଛି ଟଙ୍କା ଉଠାଣ ପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେବା ପାଇଁ ଚାହୁଁଥିଲେ ଦେଇପାରିବେ ଭକ୍ତ । ସେହିପରି ଖୁବଶୀଘ୍ର ଗୁଣ୍ଡିଚା ମନ୍ଦିର ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯିବ । ଇସ୍କନର ଅଦିନିଆ ରଥଯାତ୍ରା ଉପରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନେଇ ଆଲୋଚନା ହୋଇଛି । ସେବାୟତଙ୍କ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି । ସେବାୟତ କନ୍ୟାଙ୍କ ବିବାହ ପାଇଁ ୫୦ ହଜାରକୁ ବୃଦ୍ଧି କରାଯାଇ ଏକ ଲକ୍ଷ କରାଯାଇଛି । ବ୍ରତଘର ପାଇଁ ୨୦ ହଜାରକୁ ୫୦ ହଜାର କରାଯାଇଛି । ପୁରୀବାସୀଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଆଲୋଚନା ହୋଇଛି । ଅନ୍ୟ ଭକ୍ତ ମାନଙ୍କର ଯେଭଳି କିଛି ଅସୁବିଧା ନହେବ ସେନେଇ ଗୁରୁତ୍ୱ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍ କମିଟି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବା ପରେ ଏସ୍ଓପି ପ୍ରସ୍ତୁତ କରାଯାଇ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)