SI ପରୀକ୍ଷା କେଳେଙ୍କାରୀ: ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ ।

ଅକ୍ଷର ବ୍ୟୁରୋ: ପୁଲିସ SI ପରୀକ୍ଷା କେଳେଙ୍କାରୀ ଘଟଣାରେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ । ବ୍ରହ୍ମପୁର ଜେଲରେ ରହିଥିବା ୧୧୪ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ଭିଜିଲାନ୍ସ କୋର୍ଟ । ଜାମିନ ପାଇଥିବା ପରୀକ୍ଷାର୍ଥୀ ଆଜି ଜେଲରୁ ମୁକୁଳିବେ । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କୋର୍ଟରେ କେସ୍ ଡାଏରୀ ତଥା ସିଡି ଦାଖଲ କରିଥିଲେ । କିନ୍ତୁ କୋର୍ଟରେ ବିଚାରଣା ସମୟରେ ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ବିରୋଧରେ ଆବଶ୍ୟକୀୟ ତଥ୍ୟ ପ୍ରମାଣ କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିପାରିନଥିଲା । ଯେଉଁକାରଣରୁ କୋର୍ଟ ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ପ୍ରତି ଛାତ୍ରଛାତ୍ରୀ ୫୦ ହଜାର ଟଙ୍କା ସହ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ଜାମିନ ପ୍ରଦାନ କରାଯିବ । ସର୍ତ୍ତଗୁଡ଼ିକ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ମାନେ ମାମଲାରେ ସମ୍ପୃକ୍ତ ଥିବା କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ । ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଟିମ ଯେଉଁ ସମୟରେ ତଦନ୍ତ ପାଇଁ ଡାକିବେ, ସେହି ସମୟରେ ସେମାନେ ଉପସ୍ଥିତ ରହିବେ । ଏହାସହ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ସର୍ତ୍ତ ରହିଛି । କୋର୍ଟଙ୍କ ଏହି ସର୍ତ୍ତାବଳିରେ ରାଜି ହୋଇଥିଲେ ସମସ୍ତ ଗିରଫ ଆଶାୟୀ ପରୀକ୍ଷାର୍ଥୀ । ତେଣୁ କୋର୍ଟ ସମସ୍ତ ୧୧୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ସର୍ତ୍ତ ପାଳନ କରି ଜାମିନ ଦେଇଥିବା ବେଳେ ବ୍ରହ୍ମପୁର ଜେଲରୁ ଆଜି ବାହାରିବେ ପରୀକ୍ଷାର୍ଥୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)