ଅକ୍ଷର ବ୍ୟୁରୋ: ପୀତବାସ ପଣ୍ଡା ହତ୍ୟା ଘଟଣା ଚାର୍ଜସିଟ୍ରେ ଟ୍ୱିଷ୍ଟ୍ । ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ରହିଥିବା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଦର୍ଶାଇଥିଲା । ତେବେ ଚାର୍ଜସିଟ୍ରେ ଆଉ ଗୋଟିଏ କାରଣ ଯୋଡ଼ାଯାଇଛି । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପତ୍ତିଜନକ ଫଟୋ ରଖି ସାର୍ବଜନୀନ କରିବାକୁ ପରୋକ୍ଷରେ ଧମକାଉଥିଲେ ପୀତବାସ । ତେଣୁ ଏହି କାରଣରୁ ମଧ୍ୟ ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିବା ପୁଲିସ ଚାର୍ଜସିଟ୍ରେ ଦର୍ଶାଇଛି । ପୁଲିସ ତଦନ୍ତ ଅନୁସାରେ ପୀତବାସ ପଣ୍ଡାଙ୍କ ଗୋଟିଏ ପେନ୍ଡ୍ରାଇଭ୍ ମିଳିଥିଲା । ସେହି ପେନ୍ ଡ୍ରାଇଭ୍ରେ କିଛି ଆପତ୍ତିଜନକ ଫଟୋ ଥିଲା । ସେହି ଫଟୋ ସର୍ବସାଧାରଣ କରିବାକୁ ପୀତବାସ ପଣ୍ଡା ଧମକ ଦେଉଥିଲେ ବୋଲି ପୁଲିସ ଚାର୍ଜସିଟ୍ରେ ଉଲ୍ଲେଖ କରିଛି ।
ସେପଟେ ପୀତବାସଙ୍କ ସ୍ତ୍ରୀ ପୁଲିସ ନିକଟରେ ଦେଇଥିବା ବୟାନ ଅନୁସାରେ ପୀତବାସଙ୍କ ପଇତାରେ ଲାଗିଥିବା ଗୋଟିଏ ଚାବି ପୁଲିସ ଦେଇଥିଲା । ସେହି ଚାବି ପୀତବାସଙ୍କ ଆଲମାରୀର ସିକ୍ରେଟ୍ ଚାମ୍ବରର ଥିଲା । ସିକ୍ରେଟ୍ ଚାମ୍ବର ଖୋଲି ତାହାର ତଲାସି ନେବା ସମୟରେ ଗୋଟିଏ ଲଫାଫା ଭିତରେ ବିକ୍ରମଙ୍କର ଚାରୋଟି ଆପତ୍ତିଜନକ ଫଟୋ ସହ ଏକ ପେନ୍ଡ୍ରାଇଭ୍ ମିଳିଥିଲା । ପେନ୍ଡ୍ରାଇଭ୍ରେ ମଧ୍ୟ ସେହି ଚାରୋଟି ଫଟୋ ରହିଥିଲା । ପୀତବାସ ସର୍ବସାଧାରଣ ସ୍ଥାନରେ ବିକ୍ରମଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ବୋଲି ଜଣେ ଆଇନଜୀବୀ ପୁଲିସ ନିକଟରେ ବୟାନ ଦେଇଛନ୍ତି । ଏହାସହ ପୀତବାସ ଏବଂ ବିକ୍ରମ ପଣ୍ଡା, ମଳୟ ଓ ମଦନ ଦଳେଇ ମଧ୍ୟରେ କେମିତି ଶତ୍ରୁତା ଲାଗି ରହିଥିଲା ସେ ପୁଲିସ ନିକଟରେ ପ୍ରକାଶ କରିଥିବା ଚାର୍ଜସିଟ୍ ରେ ଉଲ୍ଲେଖ ରହିଛି ।












Leave a Reply