ଆନନ୍ଦପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୨ ଯୁବକ ଗୁରୁତର

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ହାଇୱା ବାଇକକୁ ଧକ୍କା ଦେଇଥିବାରୁ ବାଇକରେ ଯାଉଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରିଙ୍ଗ ରୋଡ଼ ପଟୁ ଆସୁଥିବା ଏକ ବାଇକକୁ ଦ୍ରୁତଗତିରେ ଆସୁଥିବା ହାଇୱା ଧକ୍କା ଦେଇଥିଲା। ଧକ୍କାର ପ୍ରଭାବରେ ବାଇକରେ ଯାଉଥିବା ଦୁଇ ଯୁବକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।
ଆହତ ଯୁବକମାନେ ହେଲେ ଯାଜପୁର ଜିଲ୍ଲା ଡୁବୁରୀ ଅଞ୍ଚଳର ସିଦ୍ଧି କୁର୍ଲି ଓ ଘସା ବାରି । ସେମାନେ କୌଣସି କାର୍ଯ୍ୟରେ ଆନନ୍ଦପୁର ଆସି ଘରକୁ ଫେରୁଥିବା ସମୟରେ ଏହି ଅଘଟଣର ଶିକାର ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥା ଦୃଷ୍ଟିରୁ ସେମାନଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ହାଇୱା ଚାଳକ ଗାଡ଼ି ସହ ଫେରାର ହୋଇଯାଇଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଫେରାର ଚାଳକଙ୍କ ସନ୍ଧାନ ଚଳାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)