ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କଲେ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍ ।

ଅକ୍ଷର ବ୍ୟୁରୋ: ସରିଲା ଐତିହାସିକ କଟକ ବାଲିଯାତ୍ରା । ନଭେମ୍ବର ୫ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ବାଲିଯାତ୍ରା । ଆଠଦିନର ଏହି ମୁକ୍ତାକାଶ ବାଣିଜ୍ୟ ମେଳା ବୁଧବାର ଅର୍ଥାତ୍ ୧୨ ତାରିଖରେ ସରିଥାନ୍ତା । କିନ୍ତୁ ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀମାନଙ୍କ କାରବାରକୁ ନଜରରେ ରଖି ଦିନଟିଏ ଅବଧି ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ବ୍ୟବସାୟୀମାନଙ୍କୁ ପ୍ଲଟ୍ ବାବଦରେ ଅତିରିକ୍ତ ଦିନ ପାଇଁ ଆଉ କୌଣସି ଦେୟ ଦେବାକୁ ପଡିନଥିଲା ।

ଅନ୍ୟପଟେ ବାଲିଯାତ୍ରାର ଅନ୍ତିମ ସଂନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ, ବଲିଉଡ୍ ଜଗତର ନାମିଦାମୀ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍ । ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶେଷ ସନ୍ଧ୍ୟାରେ ବଲିଉଡ଼ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ନାଇଟ୍ ଅନୁଷ୍ଠିତ ହୋଇଥିଲା । ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲେ ଶ୍ରେୟା । ଶ୍ରେୟା ଘୋଷାଲ ନାଇଟ୍‌କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିପାଇଁ ପଡିଆରେ ଏଲ୍ଇଡି ସ୍କ୍ରିନ୍ ବ୍ୟବସ୍ଥା କରାଯାଇଥିଲା । ଠିଆ ହୋଇ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ତେଣୁ ରବିବାର ଭଳି ଗତକାଲି ମଧ୍ୟ ବାଲିଯାତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରବଳ ଭିଡ ଯୋଗୁଁ ଠେଲାପେଲା ସ୍ଥିତି ମଧ୍ୟ ଦେଖା ଦେଇଥିଲା । ତେଣୁ ଟ୍ରାଫିକ୍ କଟକଣା ଓ ଗାଡ଼ି ପରିଚାଳନାକୁ ବିଶେଷ ଦୃଷ୍ଚି ଦିଆଯାଇଥିଲା । ଗତକାଲି ବି ଦୋଳି ଅଟକିଯାଇଥିଲା । ଫଳରେ ମଝି ଆକାଶରେ ଫସିରହିଥିଲେ ୮ଜଣ ଯାତ୍ରୀ । ଅଗ୍ନିଶମ ବିଭାଗକୁ ଉଦ୍ଧାର ପାଇଁ କସରତ କରିବାକୁ ପଡିଥିଲା । 

ଅନ୍ୟପକ୍ଷରେ ଦର୍ଶକମାନଙ୍କୁ ଶାନ୍ତିଶୃଙ୍ଖଳାରେ ମେଳା ବୁଲିବାକୁ ଆସିବାକୁ ଅପିଲ କରିଥିଲେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ । ବାଲିଯାତ୍ରାର ଶେଷଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସବୁ ପ୍ରକାର ବ୍ୟବସ୍ଥା ସୁଚାରୁ ରୂପେ ହୋଇଛି କି ନାହିଁ ତାହା ବୁଲି ଦେଖିବା ସହ ପ୍ରବଳ ଭିଡ଼ ଆଶାଙ୍କା କରି ରାଜ୍ୟବାସୀଙ୍କୁ ଛୋଟ ପିଲା ଓ ବୟସ୍କଙ୍କୁ ବାଲିଯାତ୍ରାକୁ ନେଇ ଆସନାହିଁ ବୋଲି ନିବେଦନ କରିଥିଲେ । ଏବଂ ରାତି ୧୧ଟାରେ ବାଲିଯାତ୍ରା ଶେଷ ହେବ ବୋଲି ସୂଚନା ଦେଇଥିଲେ ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)