ନୂଆପଡ଼ା ଉପନିର୍ବାଚନ: ଆଜି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ।

ଅକ୍ଷର ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନରେ ବିଜେପି ଓ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ଆଲୋଚନା ଲାଗି ରହିଥିବା ବେଳେ ଏବେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ନେଇ ଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି । ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ, ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଆହୁରି ମଧ୍ୟ କୁହାଯାଉଛି ଯେ, ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିସାରିଲେଣି । ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି ।

ସବୁଠାରୁ ବଡ଼ କଥା ହେଲା ଯେ, ବିଜେଡିର ପଦଯାତ୍ରାରେ ଜୟ ଢୋଲକିଆଙ୍କୁ ଦେଖିବାକୁ ମିଳିନଥିଲା । ସେବେଠାରୁ ଏକ ପ୍ରକାର ନିଶ୍ଚିତ ହୋଇଥିଲା ଯେ, ଜୟ ଢୋଲକିଆ ବିଜେପି ଆଡ଼କୁ ଢଳୁଛନ୍ତି । ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦେଖା କରିଥିବା କୁହାଯାଉଛି । ତାଙ୍କୁ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ ଏବଂ ବିଜେପିର ବିଜୟ ସହଜସାଧ୍ୟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । ତେଣେ ଏହା ବିଜେଡି ଲାଗି ମୁଣ୍ଡବ୍ୟଥାର କାରଣ ବି ହେବ।

ସୂଚନାଯୋଗ୍ୟ, ଜୟ ଢୋଲକିଆ ଓ ତାଙ୍କ ପରିବାରର କେତେକ ସଦସ୍ୟଙ୍କର ଗୁଜୁରାଟର ସୁରଟରେ ବ୍ୟବସାୟ ରହିଛି । ଗୁଜୁରାଟରେ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ହେବ ବିଜେପି ସରକାର ଅଛି । ସେହି ସରକାରଠାରୁ ସେମାନେ ଲାଭ ବି ଉଠାଇଛନ୍ତି । ଏଣୁ ଜୟ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ଲାଗି ଅଧିକ ଆଗ୍ରହୀ । ତା’ଛଡ଼ା ରାଜେନ୍ଦ୍ର ଢୋଲକିଆ ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ପରେ ସ୍ଥାନୀୟ ଆବଶ୍ୟକତାକୁ ଆଖି ଆଗରେ ରଖି କ୍ଷମତାସୀନ ବିଜେଡିରେ ଯୋଗ ଦେଇଥିଲେ । ଏବେ ଓଡ଼ିଶାରେ ବିଜେପି ସରକାର ଅଛି । ଆଉ ଯଦି ଜୟ ବିଜେପିରେ ଯୋଗ ଦେଇ ଟିକେଟ୍ ହାତେଇବାରେ ସଫଳ ହୁଅନ୍ତି, ତେବେ ତାଙ୍କର ବିଜୟ ସହଜସାଧ୍ୟ ହେବ ବୋଲି ତାଙ୍କ ସମର୍ଥକମାନେ ବିଚାର କରୁଛନ୍ତି ।

ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ନୂଆପଡ଼ା ଯାଇ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ, ପୁଅ ଜୟ ଢୋଲକିଆ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲାବାସୀ ଜଣେ ଭଲ ନେତାଙ୍କୁ ହରାଇଛନ୍ତି । ସେ କେବଳ ଜଣେ ଦରଦୀ ନେତା ନ ଥିଲେ, ସମାଜସେବୀ ହିସାବରେ ମଧ୍ୟ ତାଙ୍କର ପରିଚୟ ଥିଲା । ତେବେ ତାଙ୍କ ଅବର୍ତ୍ତମାନରେ ନୂଆପଡ଼ା ଜିଲ୍ଲାର ବିକାଶ ପ୍ରକ୍ରିୟା ଜାରି ରହିବ । ଜିଲ୍ଲାବାସୀଙ୍କ ଦାୟିତ୍ୱ ମୁଁ ନେବି । ଯେତେବେଳେ ଜିଲ୍ଲାବାସୀ ଚାହିବେ ମତେ ଭେଟି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରାଜ୍ୟ ପଣ୍ୟାଗାର ପରିସରରେ ଆୟୋଜିତ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ କହିଛନ୍ତି । ରାଜେନ୍ଦ୍ରଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେ ମୋର ଜଣେ ଭଲ ବନ୍ଧୁ ଥିଲେ ।  ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଥାଇପାରନ୍ତି, କିନ୍ତୁ ରାଜନୈତିକ ଶତ୍ରୁ କେହି ନଥିଲେ । ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସେ ନିଜର କରି ପାରିଥିଲେ । ବିଧାନସଭାରେ ସେ ମୋ ପାଖରେ ବସୁଥିଲେ । ଆମ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ଥିଲା, ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)