ଅକ୍ଷର ବ୍ୟୁରୋ: ନୋଡାଲ ଅଫିସରଙ୍କ ମାସକର ଦରମା ବନ୍ଦ । ଧାନ କିଣା ସେଣ୍ଟରରେ ମନ ଇଚ୍ଛା ରହିଲେ ଅନୁପସ୍ଥିତ । ଫଳ ସ୍ୱରୁପ ମାସକର ଦରମା ବନ୍ଦ । ଜଗତସିଂହପୁର ଜିଲ୍ଲାର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଉପରେ ହୋଇଛି ଆକ୍ସନ । ଏଭଳି କଡ୍ଡା ଆକ୍ସନ ନେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ବିଭିନ୍ନ ଧାନ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନେ ଧାନ କ୍ରୟ କେନ୍ଦ୍ର ମାନଙ୍କରେ ମନମୁଖୀ ଭାବରେ ଅନୁପସ୍ଥିତ ରହିବା ମହଙ୍ଗା ପଡିଛି । ଯାହା ଦ୍ଵାରା ସମସ୍ତ ନୋଡାଲ ଅଫିସର ମାନଙ୍କ ମାର୍ଚ୍ଚ ମାସର ଦରମାକୁ ବନ୍ଦ କରିଛନ୍ତି ଜିଲ୍ଲାପାଳ । ମାର୍ଚ୍ଚ ମାସର ଦରମା ବନ୍ଦ ରହିବ ବୋଲି ଚିଠିରେ ଦର୍ଶାଯାଇଛି । ୬୯ ମଣ୍ଡି କେନ୍ଦ୍ର ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦରମାକୁ ବନ୍ଦ ରଖାଯିବ । ଚଳିତ ବର୍ଷ ବିଭିନ୍ନ ମଣ୍ଡିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଜସ୍ୱ ନୀରିକ୍ଷକ, ଭିଏଡବ୍ଲ୍ୟୁ ଭଳି ଅଧିକାରୀ ମାନଙ୍କୁ ନୋଡାଲ ଅଫିସର ଦାୟିତ୍ୱରେ ରଖା ଯାଇଛି । ଜିଲ୍ଲାରେ ବିରିଡ଼ି, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ନାଉଗାଁ, ଜଗତସିଂପୁର, ଏରସମା ଓ ବାଲିକୁଦା ସମସ୍ତ ବ୍ଲକ୍ ରେ ଥିବା ବିଭିନ୍ନ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ତିନିଦିନ ଭିତରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଜଗତସିଂହପୁର ଜିଲ୍ଲାର ୬୯ ନୋଡାଲ ଅଫିସରଙ୍କ ଦରମା ବନ୍ଦ; ମଣ୍ଡି ଦାୟିତ୍ୱରେ ଥିବାବେଳେ ମନମୁଖୀ ଭାବ ପାଇଁ ହୋଇଛି ଆକ୍ସନ ।












Leave a Reply