ବାରବାଟୀରେ ହେବାକୁ ଥିବା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ।

ଅକ୍ଷର ବ୍ୟୁରୋ: ଡିସେମ୍ବର ୯ ତାରିଖରେ କଟକ ବାରବାଟୀରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉତ୍ସାହ । ଏହାକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ଚଳାଚଳ ହେବ ସ୍ୱତନ୍ତ୍ର ବସ୍ ସେବା । ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏଁ ଗଡ଼ିବ । କଟକ ରେଳ ଷ୍ଟେସନରୁ ସିଏନ୍‌ବିଟି ଏବଂ ବାରବାଟୀ ଷ୍ଟାଡ଼ିୟମ ଅଞ୍ଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳର ବ୍ୟବସ୍ଥା ହେବ । ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରେ କଟକ ରେଳ ଷ୍ଟେସନ୍‌ରୁ ସଟଲ୍ ସେବା ଆରମ୍ଭ ହେବ । ମ୍ୟାଚ୍ ଶେଷ ପରେ, ଟ୍ରାଫିକ୍ ପ୍ରବାହକୁ ଧ୍ୟାନରେ ରଖି ବାରବାଟୀ ଷ୍ଟାଡିୟମ୍‌ରୁ ସଟଲ୍ ବସ୍ ସେବା ଜାରୀ ରହିବ ।

ବାରବାଟୀ ଷ୍ଟାଡିୟମ୍‌ରୁ କଟକ ରେଳଷ୍ଟେସନ୍‌କୁ ଯିବା ପାଇଁ ପ୍ରାଥମିକ ସଟଲ୍ ରୁଟ୍ ହେଉଛି-ଗଡଗଡିଆ ଘାଟ, ଚହଟା ଘାଟ, ସତୀଚୌରା, ଜୁଡିସିଆଲ୍ ଏକାଡେମୀ, ସିଏନବିଟି, ବାଦାମବାଡି, ଲିଙ୍କ ରୋଡ୍ ଏବଂ ଓଏମପି ଛକ । ଏହି ରୁଟ୍ ମଧ୍ୟ ଦେଇ ବସ୍‌ଗୁଡିକ ରେଳଷ୍ଟେସନ୍‌ ଯାଏଁ ଚଳାଚଳ ହେବ । ସଟଲ୍ ସେବାର ନିର୍ଦ୍ଧାରିତ ଭଡ଼ା ୨୦ ଟଙ୍କା ରହିବ । ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ । ରୁଟ୍-୦୧ ବାରବାଟୀ ଷ୍ଟାଡିୟମରୁ ବିଏସଏବିଟି, ବରମୁଣ୍ଡା । ଏହା ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଚଳାଚଳ ହେବ । ରୁଟ୍-୦୨: ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ଵର ରେଳଷ୍ଟେସନ୍ । ଏହା ସିଏନବିଟି, ଲିଙ୍କ ରୋଡ୍, ଜାତୀୟ ରାଜପଥରେ ଚଳାଚଳ କରିବ । ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ଫ୍ଲାଟ୍ ମୂଲ୍ୟ ୪୦ ଟଙ୍କା ରହିବ ଏବଂ ବସ୍‌ଗୁଡିକ ପ୍ରତି ୨୦-ମିନିଟ୍ ଅନ୍ତରରେ ଚଳାଚଳ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)