ଆଜିଠୁ ମୋହନ ସରକାରଙ୍କ ଷଷ୍ଠ ବିଧାନସଭା ବଜେଟ୍ ଅଧିବେଶନ; ବିଧାନସଭାରେ ଅଭିଭାଷଣ ରଖିବେ ରାଜ୍ୟପାଳ ।

ଅକ୍ଷର ବ୍ୟୁରୋ: ଆଜି ବିଧାନସଭା ବଜେଟ୍ ଅଧିବେଶନ । ଆଜିଠାରୁ ଆରମ୍ଭ ହେଉଛି ମୋହନ ସରକାରଙ୍କ ଷଷ୍ଠ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଦୁଇଦିନ ଧରି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିବ । କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ଉଦ୍ୟମର ମାନଚିତ୍ର ଆଙ୍କିବେ । ବିରୋଧୀ ଦଳ କିନ୍ତୁ ସରକାରଙ୍କୁ ଅକଳରେ ପକାଇବା ଯୋଜନାରେ ଅଛନ୍ତି । ଧାନ କିଣା ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନ ଶୃଂଖଳା ସ୍ଥିତି, ମହାନଦୀ ଜଳ ବିବାଦ ଏମିତି ଅନେକ ପ୍ରସଙ୍ଗ ଉଠାଇ ଗୃହର ଉତ୍ତାପ ବଢ଼ାଇବେ । ସେପଟେ ଅଧିବେଶନ ଆରମ୍ଭ ହେବା ଆଗରୁ ବିଧାନସଭା ସମ୍ମୁଖରେ ନବନିର୍ମାଣ କୃଷକ ସଂଘର ଶତାଧିକ କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି । ପ୍ରତିବାଦ ବେଳେ ସେମାନଙ୍କୁ ପୁଲିସ ଉଠାଇ ନେଇଛି । ଧାନ ଚୋରି ଅଭିଯୋଗରେ ସଙ୍ଘ ପ୍ରତିବାଦ କରୁଥିବା ଜଣାପଡ଼ିଛି ।

ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । ଆସନ୍ତା ୨୩ ଓ ୨୪ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା କରାଯିବ । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ରହିଛି । ଦୁଇଟି ପର୍ଯ୍ୟାୟରେ ମୋଟ ୨୮ଟି କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଛି । ଫେବ୍ରୁଆରୀ ୨୫ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ରହିବନି । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହେବା ସହ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବ । ୧୦ ମାର୍ଚ୍ଚରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଚାଲିବ । ମାର୍ଚ୍ଚ ୩୧ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ ଗୃହରେ । ବିଧାନସଭା ଅଧିବେଶନ ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ କାର୍ଯ୍ୟକୁ ଶୃଙ୍ଖଳାର ସହ ଚଳାଇବା ନେଇ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ଗଣମାଧ୍ୟମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଗୃହକୁ ସୁରୁଖୁରୁରେ ଚଳାଇବା ନେଇ ସମସ୍ତେ ସହମତ ହୋଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ କହିଛନ୍ତି, ଶୃଙ୍ଖଳାର ସହ ବିଧାନସଭା ଅଧିବେଶନ ଚଳାଇବାକୁ ବାଚସ୍ପତି ଅନୁରୋଧ କରିଛନ୍ତି । ବିଧାନସଭାରେ ଅନେକ ପ୍ରସଙ୍ଗ ଉପସ୍ଥାପନ କରାଯିବ । ବଜେଟର ଆକାର ଦେଖିବା ପରେ ସେ ସମ୍ପର୍କରେ ଆମେ ଆମ ମତ ରଖିବୁ । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡାମ କହିଛନ୍ତି, ପାତର ଅନ୍ତର ନ କରି ବିରୋଧୀ ଦଳକୁ ଗୃହରେ ଉପଯୁକ୍ତ ସୁଯୋଗ ମିଳିବା ଆବଶ୍ୟକ । ଏ ଦିଗରେ ଆମେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛୁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)