ରାଜ୍ୟରେ ଗୁଳୁଗୁଳି ସାଙ୍ଗକୁ କାଳବୈଶାଖୀର ପ୍ରଭାବ; ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ନେଇ ୱାର୍ଣ୍ଣିଂ ।

ଅକ୍ଷର ବ୍ୟୁରୋ: ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛି ଅଧା ଉପକୂଳ ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଆର୍ଦ୍ରତା ୭୦ରୁ ୮୦% ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି । ତେବେ ବଙ୍ଗୋପସାଗରରୁ ସାମୁଦ୍ରିକ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ଓ କାଳବୈଶାଖୀ ଯୋଗୁଁ ହୋଇଥିବା ବର୍ଷା କାରଣରୁ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଛି । ଅନ୍ୟପଟେ ଉପକୂଳରେ ଏବେ ତାପମାତ୍ରା ସ୍ବାଭାବିକଠାରୁ ୧ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି । ଫଳରେ ଗରମ ପବନ ବାୟୁମଣ୍ଡଳର ଆର୍ଦ୍ରତାକୁ ଧରିରଖୁଛି ଏବଂ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଏଣୁ ଏହି ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି । 

ଆସନ୍ତା ୨ ଦିନ ମଧ୍ୟ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରାଯାଇଛି । ଜନସାଧାରଣଙ୍କୁ ପ୍ରଚୁର ପାଣି, ଓଆର୍‌ଏସ୍ ଆଦି ପିଇବାକୁ ପରାମର୍ଶ ଦିଆଯାଇଛି । ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ସେପଟେ ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣି ୪୦ ଡିଗ୍ରି ଅତିକ୍ରମ କରିଛି । ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ରହିଛି ୪୦ ଡିଗ୍ରି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)