ଭୁବନେଶ୍ୱର: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି। ଶ୍ରୀକ୍ଷେତ୍ରର ବିକାଶ, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ଧାର୍ମିକ ପୀଠର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପର ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇଛି। ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବିମାନବନ୍ଦରଠାରୁ ଇଣ୍ଟରପ୍ରିଟେସନ୍ ସେଣ୍ଟର ପର୍ଯ୍ୟନ୍ତ ଗୁରୁତ୍ୱ
ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକୁ ଦ୍ରୁତଗତିରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ଏକ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ଏବଂ ମହାପ୍ରସାଦ ପ୍ରସ୍ତୁତି ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ରୋଷଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ବଡ଼ଦାଣ୍ଡରୁ ହଟାଯାଇଥିବା ଉଠାଦୋକାନୀମାନଙ୍କୁ ଶ୍ରୀସେତୁ ନିକଟରେ ଜରୁରୀକାଳୀନ ଭିତ୍ତିରେ ତୁରନ୍ତ ଥଇଥାନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଗୋପାଳଜୀଉ ମନ୍ଦିରଠାରୁ ମା’ ମଙ୍ଗଳା ପୀଠ ପର୍ଯ୍ୟନ୍ତ ହେବ ଉନ୍ନତିକରଣ
ପୁରୀ ଜିଲ୍ଲାର ଧାର୍ମିକ ଓ ଐତିହାସିକ ସ୍ଥଳଗୁଡ଼ିକର ବିକାଶକୁ ମଧ୍ୟ ବୈଠକରେ ପ୍ରାଥମିକତା ଦିଆଯାଇଛି। ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିର, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ଏବଂ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଏଥିସହ କାକଟପୁରର ମା’ ମଙ୍ଗଳା ମନ୍ଦିରର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ସତ୍ୟବାଦୀ ବନବିଦ୍ୟାଳୟକୁ ପୁରାତନ ଗୁରୁକୁଳ ଶିକ୍ଷା ପଦ୍ଧତି ଆଧାରରେ ପୁନରୁଦ୍ଧାର କରିବା ସହ ବକୁଳବନର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ଦିଆଯାଇଛି। ଐତିହାସିକ ଅଠରନଳା ନିକଟରେ ଏକ ଆଇକନିକ୍ ହେରିଟେଜ୍ ବ୍ରିଜ୍ର ପୁନଃନିର୍ମାଣ ଏବଂ ଅନ୍ନପୂର୍ଣ୍ଣା ଥିଏଟରର ପୁନଃବିକାଶ ନେଇ ମଧ୍ୟ ଆଲୋଚନା ହୋଇଛି।
ବେଳାଭୂମି, ସ୍ୱର୍ଗଦ୍ୱାର ଓ ସାଗର ବିଜେ ନୀତିର ସୁପରିଚାଳନା
ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସନ୍ଧ୍ୟା ଆଳତିର ସୁପରିଚାଳନା, ମହାପ୍ରଭୁଙ୍କ ‘ସାଗର ବିଜେ’ ନୀତିର ସୁବ୍ୟବସ୍ଥା ଏବଂ ସ୍ୱର୍ଗଦ୍ୱାରର ସାମଗ୍ରିକ ଉନ୍ନତିକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୃଷ୍ଟି କରିବା ସହ ଶ୍ରୀମନ୍ଦିରର ନୀତିକାନ୍ତି ଓ ସେବାୟତଙ୍କ କଲ୍ୟାଣକୁ ଗୁରୁତ୍ୱ ଦେଇ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା ବୈଠକରୁ ପ୍ରକାଶ ପାଇଛି।
ପ୍ରଶସ୍ତ ହେବ ପୁରୀ-କୋଣାର୍କ, ପୁରୀ-ବ୍ରହ୍ମଗିରି ଓ ପୁରୀ-ଭୁବନେଶ୍ୱର ରାସ୍ତା
ଯୋଗାଯୋଗ ଓ ଭିତ୍ତିଭୂମିର ବିକାଶ ପାଇଁ ପୁରୀ-ବ୍ରହ୍ମଗିରି, ପୁରୀ-କୋଣାର୍କ ଏବଂ ପୁରୀ-ଭୁବନେଶ୍ୱର ରାସ୍ତାର ପ୍ରଶସ୍ତୀକରଣ ନେଇ ଆଲୋଚନା ହୋଇଛି। ଏହାବ୍ୟତୀତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ବ୍ଲୁ ଫ୍ଲାଗ୍ ବିଚ୍, ଅସ୍ତରଙ୍ଗ ବନ୍ଦର ଏବଂ କୋଣାର୍କ ମନ୍ଦିର ସଂଲଗ୍ନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରାଯାଇଛି।
ପ୍ରକଳ୍ପରେ ବିଳମ୍ବ ଓ ଅବହେଳାକୁ ବରଦାସ୍ତ କରାଯିବନି
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ କେବଳ ଏକ ଜିଲ୍ଲା ନୁହେଁ, ଏହା ସମଗ୍ର ଓଡ଼ିଶାର ଅସ୍ମିତା ଏବଂ ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥାର କେନ୍ଦ୍ର। ତେଣୁ ଶ୍ରୀକ୍ଷେତ୍ରର ସମସ୍ତ ବିକାଶମୂଳକ ପ୍ରକଳ୍ପକୁ ବିଶ୍ୱସ୍ତରୀୟ ମାନରେ ନିର୍ମାଣ କରିବାକୁ ହେବ। ପ୍ରକଳ୍ପ କାର୍ଯ୍ୟକାରିତାରେ କୌଣସି ଅବହେଳା, ବିଳମ୍ବ କିମ୍ବା ଅନିୟମିତତାକୁ ଆଦୌ ସହ୍ୟ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସମସ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଓ ଏସ୍ପିଙ୍କୁ କ୍ଷେତ୍ରସ୍ତରରେ ନିଜେ ପ୍ରକଳ୍ପ କାର୍ଯ୍ୟର ତଦାରଖ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟକ୍ଷ ଭାବେ ପୁରୀବାସୀଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ସମସ୍ତେ ଦାୟିତ୍ୱବୋଧର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପୁରୀର ବିକାଶ ସହ ସ୍ଥାନୀୟ ସେବାୟତ, ବ୍ୟବସାୟୀ ଓ ଆବାସିକ ନାଗରିକଙ୍କ ଜୀବନଜୀବିକା ଏବଂ ଆବଶ୍ୟକତାକୁ ପ୍ରାଥମିକତା ଦେବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରକଳ୍ପଗୁଡ଼ିକର ଶେଷ ଫଳ ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଅଭିବୃଦ୍ଧିରେ ସହାୟକ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
ବୈଠକରେ ଉପସ୍ଥିତ ଥିଲେ ବରିଷ୍ଠ ଅଧିକାରୀ
ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।














Leave a Reply