ଅକ୍ଷର ବ୍ୟୁରୋ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ସୀମା ଉତ୍ତେଜନା ମଧ୍ୟରେ ପୁଣି ଆସିଛି ଏୟାରଷ୍ଟ୍ରାଇକ୍କୁ ନେଇ ବିବାଦ। ଆଫଗାନିସ୍ତାନର ଦକ୍ଷିଣ ହେଲମଣ୍ଡ ପ୍ରଦେଶର ଗାର୍ମସିର ଅଞ୍ଚଳରେ ପାକିସ୍ତାନୀ ବିମାନ ଦୁଇଟି ଆବାସିକ ଘରକୁ ଟାର୍ଗେଟ୍ କରିଥିବା ଆଫଗାନ ଅଧିକାରୀଙ୍କ ଦାବି। ଆକ୍ରମଣରେ ସାଧାରଣ ଲୋକ, ମହିଳା ଓ ଶିଶୁ ପ୍ରଭାବିତ ହୋଇଥିବା ସୂଚନା ଆସିଛି। ହେଲମଣ୍ଡ ପ୍ରଦେଶର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ମୌଲାନା ଶେର ମହମ୍ମଦ ୱାହଦତ ରଏଟର୍ସକୁ କହିଥିବା ଅନୁସାରେ, ଗାର୍ମସିର ଜିଲ୍ଲାର ଦୁଇଟି ଆବାସିକ ଘରକୁ ଆକ୍ରମଣ କରାଯାଇଥିଲା। ତେବେ ପ୍ରାଥମିକ ରିପୋର୍ଟରେ ମୃତାହତ ସଂଖ୍ୟା ନେଇ ଭିନ୍ନ ତଥ୍ୟ ଆସିଛି। ହେଲମଣ୍ଡରେ ଅନେକ ମୃତ୍ୟୁ ଓ ୧୧ ଆହତ ହୋଇଥିବା ତଥ୍ୟ ଥିବାବେଳେ, ହେଲମଣ୍ଡ ଓ କୁନାର ମିଶାଇ ମୋଟ ୯ ଜଣ ମୃତ ଏବଂ ୧୧ ଜଣ ଆହତ ହୋଇଥିବା ଅନ୍ୟ ରିପୋର୍ଟରେ କୁହାଯାଇଛି।
ଅନ୍ୟପଟେ ପାକିସ୍ତାନ ନିଜର ସାମରିକ ଅଭିଯାନକୁ ନିଶ୍ଚିତ କରି ଏହା ଆତଙ୍କବାଦୀ ଘାଟି ଓ ମିଲିଟାଣ୍ଟ ଠିକଣାକୁ ଟାର୍ଗେଟ୍ କରିଥିବା କହିଛି। ପାକିସ୍ତାନର ଅଭିଯୋଗ ହେଉଛି, ଆଫଗାନିସ୍ତାନ ଭୂଖଣ୍ଡରୁ ପାକିସ୍ତାନକୁ ଲକ୍ଷ୍ୟ କରି ଡ୍ରୋନ୍ ଅପରେସନ୍ ଚାଲୁଥିଲା ଏବଂ ସେଗୁଡ଼ିକୁ ଲୁଚାଇ ରଖିବା ପାଇଁ କିଛି ଘାଟି ବ୍ୟବହୃତ ହେଉଥିଲା। ତାଲିବାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛି। ଗତ ସପ୍ତାହରେ ମଧ୍ୟ ପାକିସ୍ତାନ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ କରିଥିବା ରିପୋର୍ଟ ଆସିଥିଲା। ଇସ୍ଲାମାବାଦ କହିଥିଲା ଯେ, ପାକିସ୍ତାନ ବିରୋଧରେ ଡ୍ରୋନ୍ ଆକ୍ରମଣ ଏବଂ ମିଲିଟାଣ୍ଟ କାର୍ଯ୍ୟକଳାପ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରାଯାଇଛି। ଆଫଗାନିସ୍ତାନ ପକ୍ଷରୁ ତେବେ ସାଧାରଣ ଲୋକ ମୃତ୍ୟୁର ଅଭିଯୋଗ ହୋଇଥିଲା।
ଦୁଇ ଦେଶ ମଧ୍ୟରେ ପ୍ରାୟ ୨,୬୦୦ କିଲୋମିଟର ସୀମାକୁ ନେଇ ଦୀର୍ଘଦିନ ଧରି ସୁରକ୍ଷା ଓ ମିଲିଟାଣ୍ଟ କାର୍ଯ୍ୟକଳାପ ପ୍ରସଙ୍ଗରେ ବିବାଦ ଚାଲିଛି। ପାକିସ୍ତାନ ଆଫଗାନିସ୍ତାନ ଭୂଖଣ୍ଡରେ ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ଭଳି ଗୋଷ୍ଠୀଙ୍କୁ ଆଶ୍ରୟ ମିଳୁଥିବା ଅଭିଯୋଗ କରୁଥିବା ବେଳେ, କାବୁଲ ଏହାକୁ ଅସ୍ୱୀକାର କରୁଛି। ସେପ୍ଟେମ୍ବରରେ ଏହି ଉତ୍ତେଜନା ପୁଣି ବଢ଼ିଥିବାରୁ ସୀମା ଅଞ୍ଚଳରେ ସୁରକ୍ଷା ପରିସ୍ଥିତି ନେଇ ଚିନ୍ତା ବଢ଼ିଛି। ଦୁଇ ପକ୍ଷର ପରସ୍ପର ଅଭିଯୋଗ ଏବଂ ପ୍ରତିଆକ୍ରମଣ ମଧ୍ୟରେ ନୂଆ ଏୟାରଷ୍ଟ୍ରାଇକ୍ ଘଟଣା ପାକିସ୍ତାନ-ଆଫଗାନିସ୍ତାନ ସମ୍ପର୍କରେ ଚାଲିଥିବା ଗଭୀର ତଣାପୋଡ଼କୁ ପୁଣି ସାମ୍ନାକୁ ଆଣିଛି।













Leave a Reply