ରାତି ୧୦ଟାରେ ବି ଦିଲ୍ଲୀର ରାସ୍ତାରେ ମହିଳା ନିଜକୁ ସୁରକ୍ଷିତ ମନେ କରନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ଦୁଷ୍କର୍ମ ଓ ଯୌନ ନିର୍ଯାତନା ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାର ଅଧିକ ପ୍ରଭାବଶାଳୀ ପଦକ୍ଷେପ ନେବା ଆବଶ୍ୟକ ବୋଲି ଶୀର୍ଷ ଅଦାଲତ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀର ପ୍ରତ୍ୟେକ ମହିଳା ସାର୍ବଜନୀନ ସ୍ଥାନ କିମ୍ବା ସାର୍ବଜନୀନ ପରିବହନରେ ଯାତାୟାତ କରିବା ସମୟରେ ନିଜକୁ ସୁରକ୍ଷିତ ମନେ କରିବା ଦରକାର ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀ-ଏନସିଆରରେ ସାମ୍ପ୍ରତିକ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଘଟଣାକୁ ନେଇ ସ୍ୱତଃପ୍ରବୃତ୍ତ ମାମଲାର ଶୁଣାଣି କରୁଥିବା ବିଚାରପତି ଜେବି ପାରଦିୱାଲାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଦିଲ୍ଲୀର ପ୍ରତ୍ୟେକ ମହିଳା ରାତି ୧୦ଟାରେ ମଧ୍ୟ ମେଟ୍ରୋ କିମ୍ବା ରାସ୍ତାରେ ଯାତ୍ରା କରିବା ବେଳେ ନିଜକୁ ସୁରକ୍ଷିତ ମନେ କରିବା ଉଚିତ। ଶୁଣାଣି ସମୟରେ ଅପରାଧୀଙ୍କ ମନରେ ଆଇନ ଓ ପୁଲିସର ଭୟ ସୃଷ୍ଟି କରିବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଥିଲେ। ଅପରାଧ କଲେ କଠୋର ପରିଣାମ ଭୋଗିବାକୁ ପଡ଼ିବ—ଏଭଳି ଭୟ ଅପରାଧୀଙ୍କ ମନରେ ରହିବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଅପରାଧ ରୋକିବା ପାଇଁ ଦିଲ୍ଲୀ ପୁଲିସକୁ ଦୃଢ଼ ଓ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।

ଜାତୀୟ ରାଜଧାନୀ ଅଞ୍ଚଳରେ ମହିଳା ଓ ନାବାଳିକାଙ୍କ ସହ ଘଟୁଥିବା ଅନେକ ଅପରାଧିକ ଘଟଣା ପରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସେପ୍ଟେମ୍ବର ୨୮ରେ କୋର୍ଟ କାଲକାଜି ନିକଟସ୍ଥ ଆସ୍ଥା କୁଞ୍ଜ ପାର୍କରେ ୧୭ ବର୍ଷୀୟା ନାବାଳିକାଙ୍କ ସହ ଗଣଦୁଷ୍କର୍ମ, ସ୍ୱରୂପ ନଗରରେ ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଏବଂ ଗ୍ରେଟର ନୋଏଡାରୁ ଦିଲ୍ଲୀ ଆସୁଥିବା ବସ୍‌ରେ ୧୬ ବର୍ଷୀୟା ଝିଅଙ୍କ ସହ ଯୌନ ନିର୍ଯାତନା ଭଳି ଘଟଣାକୁ ନେଇ ସ୍ୱତଃପ୍ରବୃତ୍ତ ତଦନ୍ତ ଆରମ୍ଭ କରିଥିଲେ।

କୋର୍ଟ କହିଛନ୍ତି ଯେ ପାର୍କ, ରାସ୍ତା ଓ ବସ୍‌ ଭଳି ସାର୍ବଜନୀନ ସ୍ଥାନଗୁଡ଼ିକୁ ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ସ୍ଥାନ ହେବାକୁ ଦିଆଯାଇପାରିବ ନାହିଁ। ୨୦୧୨ର ନିର୍ଭୟା ଘଟଣା ପରେ ଦେଶ କ’ଣ ଶିକ୍ଷା ନେଇଛି, ତାହା ନେଇ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ ସମ୍ମାନ ଓ ହିଂସାମୁକ୍ତ ଜୀବନ ବଞ୍ଚିବାର ଅଧିକାର ସହ ନାଗରିକଙ୍କ ସୁରକ୍ଷା ମଧ୍ୟ ଜଡ଼ିତ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ସେପ୍ଟେମ୍ବର ୨୧ରେ ଆସ୍ଥା କୁଞ୍ଜ ପାର୍କରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣା ପରେ ଦିଲ୍ଲୀରେ ବ୍ୟାପକ ପ୍ରତିବାଦ ହୋଇଥିଲା। ଏହାପରେ ଦିଲ୍ଲୀର ପାର୍କଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଡିଟ୍ କରାଯାଇଥିଲା। ଅଡିଟ୍‌ରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଦିଲ୍ଲୀ ଡିଭେଲପମେଣ୍ଟ ଅଥରିଟି ପରିଚାଳିତ ୭୩୬ଟି ପାର୍କ ମଧ୍ୟରୁ ମାତ୍ର ୧୬ଟି ପାର୍କରେ ସିସିଟିଭି କ୍ୟାମେରା ଥିବା ଜଣାପଡ଼ିଥିଲା। ଅଡିଟ୍‌ ଅନୁଯାୟୀ, ପ୍ରାୟ ୧୯୦ଟି ପାର୍କକୁ ଅଧିକ ବିପଦପୂର୍ଣ୍ଣ ଭାବେ ଚିହ୍ନଟ କରାଯାଇଥିଲା। ୫୨୦ଟି ପାର୍କରେ ଅତିରିକ୍ତ ଆଲୋକ ବ୍ୟବସ୍ଥା ଏବଂ ୩୨୩ଟି ପାର୍କରେ ଅଧିକ ସିସିଟିଭି କ୍ୟାମେରାର ଆବଶ୍ୟକତା ଥିବା ଅଡିଟ୍‌ରେ ଦର୍ଶାଯାଇଥିଲା। ଏହାଛଡ଼ା ଅନେକ ପାର୍କରେ ସୀମା ସୁରକ୍ଷା, ଗେଟ୍‌, ଶୌଚାଳୟ ଏବଂ ପରିତ୍ୟକ୍ତ ନିର୍ମାଣକୁ ନେଇ ମଧ୍ୟ ସମସ୍ୟା ରହିଥିବା ଚିହ୍ନଟ ହୋଇଛି।

ଆସ୍ଥା କୁଞ୍ଜ ପାର୍କରେ ୩୦ରୁ ଅଧିକ ସ୍ଥାନକୁ ସିସିଟିଭି ସ୍ଥାପନ ପାଇଁ ଚିହ୍ନଟ କରାଯାଇଛି। ପାର୍କରେ ଅନେକ ଏକାନ୍ତ ଓ ଜଙ୍ଗଲିଆ ସ୍ଥାନ ଥିବାରୁ ସେଗୁଡ଼ିକ ଉପରେ ନଜର ରଖିବା କଷ୍ଟକର ବୋଲି ଅଧିକାରୀମାନେ କହିଛନ୍ତି। ମହିଳାଙ୍କ ସୁରକ୍ଷା ନେଇ ବ୍ୟବସ୍ଥାଗତ ଅବହେଳାକୁ ଗୁରୁତ୍ୱର ସହ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଓ ପୁଲିସର ଦାୟିତ୍ୱ ଉପରେ ଜୋର ଦେଇଛନ୍ତି। ରାଜଧାନୀରେ ମହିଳାମାନେ ଦିନ ହେଉ କି ରାତି, ଭୟମୁକ୍ତ ଭାବେ ଯାତାୟାତ କରିପାରିବା ଭଳି ପରିବେଶ ସୃଷ୍ଟି କରିବା ଏବେ ପୁଲିସ ଓ ପ୍ରଶାସନ ପାଇଁ ବଡ଼ ଦାୟିତ୍ୱ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial