ଭୟଙ୍କର ଦୁର୍ଘଟଣାରେ ନୁସରତ ଭରୁଚା ଗୁରୁତର, ମେରୁଦଣ୍ଡରେ ଫ୍ରାକ୍ଚର; ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଫେରିଲେ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚା ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଇଣ୍ଡୋନେସିଆର ବାଲିରେ ଦୁର୍ଘଟଣା ପରେ ତାଙ୍କ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିବା ଏବଂ ସ୍ପାଇନାଲ୍ ଫ୍ରାକ୍ଚର ହୋଇଥିବା ସୂଚନା ମିଳିଛି। ପ୍ରଥମେ ବାଲିର ଏକ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯିବା ପରେ ଉନ୍ନତ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଛି। ମୁମ୍ବାଇର ଏକ ହସ୍ପିଟାଲରେ ନୁସରତଙ୍କ ମେରୁଦଣ୍ଡରେ ସର୍ଜରୀ କରାଯିବାକୁ ଥିବା ଜଣାପଡ଼ିଛି। ମୁମ୍ବାଇ ଫେରିବା ସମୟର କିଛି ଫଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ନୁସରତଙ୍କୁ ହ୍ୱିଲଚେୟାରରେ ଦେଖିବାକୁ ମିଳିଛି।

କାମ ସହ ଛୁଟି କାଟିବା ପାଇଁ ନୁସରତ ଇଣ୍ଡୋନେସିଆର ବାଲି ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଆହତ ହେବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଘାତର ଗୁରୁତରତାକୁ ଦୃଷ୍ଟିରେ ରଖି ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଦୁର୍ଘଟଣାଟି ଠିକ୍ କେଉଁ ପରିସ୍ଥିତିରେ ଏବଂ କିପରି ଘଟିଲା, ସେନେଇ ନୁସରତଙ୍କ ପରିବାର କିମ୍ବା ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତାଙ୍କ ଚିକିତ୍ସା ଉପରେ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିଛନ୍ତି। ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା ପରେ ସର୍ଜରୀର ତାରିଖ ନିର୍ଦ୍ଧାରଣ କରାଯିବ।

ଗୁରୁତର ଆଘାତ ଏବଂ ଆଗାମୀ ସର୍ଜରୀ ଯୋଗୁଁ ନୁସରତଙ୍କୁ ସୁସ୍ଥ ହେବା ପାଇଁ କିଛି ସମୟ ଲାଗିପାରେ। ଏହାର ପ୍ରଭାବ ତାଙ୍କ ଆଗାମୀ ସୁଟିଂ ଏବଂ ପେସାଦାର କାର୍ଯ୍ୟସୂଚୀ ଉପରେ ପଡ଼ିବାର ସମ୍ଭାବନା ରହିଛି। ନୁସରତ ଆଗାମୀ ଦିନରେ ଅଭିନେତା ଟାଇଗର ଶ୍ରଫଙ୍କ ସହ ଏକ ଫିଲ୍ମରେ ପ୍ରଥମଥର ପାଇଁ ସ୍କ୍ରିନ୍ ଶେୟାର କରିବାର ଥିଲା। ଏହି ଦୁର୍ଘଟଣା ପରେ ତାଙ୍କ ଆଗାମୀ ପ୍ରୋଜେକ୍ଟର ସୁଟିଂ କାର୍ଯ୍ୟସୂଚୀ ମଧ୍ୟ ପ୍ରଭାବିତ ହୋଇପାରେ। ଏହାପୂର୍ବରୁ ସେ ସେପ୍ଟେମ୍ବର ୫, ୨୦୨୬ରେ ରିଲିଜ୍ ହୋଇଥିବା କମେଡି-ଡ୍ରାମା ଫିଲ୍ମ ‘ଉଫ୍ଫ ୟେ ସିଆପା’ରେ ନଜର ଆସିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial