ପାନାମାରେ ଭୂକମ୍ପର ତାଣ୍ଡବ! ୯୦୦ ଘର କ୍ଷତିଗ୍ରସ୍ତ, ୨୭ ଆହତ

ପାନାମା: ପୁଣି ଭୂକମ୍ପ ଝଟ୍‌କାରେ ଥରିଲା ପାନାମା। ଦେଶରେ ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ନେଇ ୟୁରୋପିଆନ୍‌-ମେଡିଟେରେନିଆନ୍‌ ସିସ୍ମୋଲୋଜିକାଲ୍‌ ସେଣ୍ଟର (EMSC) ସୂଚନା ଦେଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୩୫ କିଲୋମିଟର ଗଭୀରତାରେ ଥିଲା। ପୂର୍ବରୁ ଏଠାରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିବାବେଳେ ଏହା ପରେ ୩୦୦ରୁ ଅଧିକ ଆଫ୍ଟରସକ୍‌ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ସରକାର ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ଭୂକମ୍ପର ପ୍ରଭାବରେ ପାନାମାର କେନ୍ଦ୍ରୀୟ ପ୍ରଦେଶଗୁଡ଼ିକରେ ପ୍ରାୟ ୯୦୦ଟି ଘର କ୍ଷତିଗ୍ରସ୍ତ ହୋଇଛି। ଏଥିସହ ବିଭିନ୍ନ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୭ ଜଣ ଆହତ ହୋଇଥିବାବେଳେ ଏଯାଏଁ କୌଣସି ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ। ପୂର୍ବରୁ ହୋଇଥିବା ୭.୭ ତୀବ୍ରତାର ଭୂକମ୍ପ ପରେ ୩୦୦ରୁ ଅଧିକ ଆଫ୍ଟରସକ୍‌ ବା ପରବର୍ତ୍ତୀ କମ୍ପନ ରେକର୍ଡ କରାଯାଇଛି। ଏହା ଫଳରେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଚିନ୍ତା ବଢ଼ିଛି। ଦୁର୍ଗମ ଅଞ୍ଚଳଗୁଡ଼ିକରେ କ୍ଷୟକ୍ଷତି ଯାଞ୍ଚ ଜାରି ରହିଥିବାରୁ ଘର ଓ ଭିତ୍ତିଭୂମିର କ୍ଷତି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପାନାମାର ଲୋସ୍‌ ସାନ୍ତୋସ୍‌, ଭେରାଗୁଆସ୍‌ ଏବଂ ହେରେରା ପ୍ରଦେଶ ଭୂକମ୍ପ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେଠାରେ ଘର ଓ ଅନ୍ୟାନ୍ୟ ଭିତ୍ତିଭୂମିର କ୍ଷୟକ୍ଷତି ଆକଳନ କରାଯାଉଛି। ଉଦ୍ଧାର ଓ ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ିବା ସହ ଭୂକମ୍ପର ପ୍ରକୃତ ପ୍ରଭାବ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial