ପଞ୍ଜାବ ସରକାରକୁ ହାଇକୋର୍ଟଙ୍କ ବଡ଼ ଝଟକା, OSDଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର CBI ତଦନ୍ତ

ଚଣ୍ଡୀଗଡ଼: ପଞ୍ଜାବର ଭଗବନ୍ତ ମାନ ସରକାର ପାଇଁ ଆସିଛି ବଡ଼ ଆଇନଗତ ଝଟକା। ମୁଖ୍ୟମନ୍ତ୍ରୀଙ୍କ ଓଏସଡି (OSD) ଏବଂ ତାଙ୍କ କିଛି ଅନ୍ତରଙ୍ଗ ସହଯୋଗୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI କରିବ। ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ମାମଲାର ତଦନ୍ତ CBIକୁ ହସ୍ତାନ୍ତର କରିବା ସହ ଆଗାମୀ ଦୁଇ ମାସ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ OSD ଓ ତାଙ୍କ କିଛି ସହଯୋଗୀ ସରକାରୀ ଟ୍ରାନ୍ସଫର-ପୋଷ୍ଟିଂ ଏବଂ ବିଭିନ୍ନ ଟେଣ୍ଡର ସମ୍ବନ୍ଧୀୟ ଅନିୟମିତତାରେ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ନେଇ ପଞ୍ଜାବରେ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଛି।

ମାମଲାରେ ଇଡି ପକ୍ଷରୁ ପଞ୍ଜାବ ପୋଲିସକୁ ବାରମ୍ବାର ଚିଠି ଦିଆଯାଇଥିଲେ ମଧ୍ୟ ପୋଲିସ ଆବଶ୍ୟକ ଦୃଢ଼ ପଦକ୍ଷେପ ନେଇନଥିବା ଅଭିଯୋଗ ରହିଥିଲା। ଏହାପରେ ମାମଲାରେ ହସ୍ତକ୍ଷେପ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲା। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ପଞ୍ଜାବ-ହରିୟାଣା ହାଇକୋର୍ଟ ମାମଲାର ତଦନ୍ତକୁ CBIକୁ ହସ୍ତାନ୍ତର କରିଛନ୍ତି। ଏଥିସହ ପଞ୍ଜାବ ପୋଲିସର କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିବା ଜଣାପଡ଼ିଛି। ମାମଲା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ତୁରନ୍ତ CBIକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାୟ ତିନି ସପ୍ତାହ ଧରି ରାୟ ସଂରକ୍ଷିତ ରଖିବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏବେ CBI ମାମଲାର ତଦନ୍ତ ଆଗକୁ ବଢ଼ାଇବ ଏବଂ ଆଗାମୀ ଦୁଇ ମାସ ମଧ୍ୟରେ କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପଞ୍ଜାବର ମାନ ସରକାର ଉପରେ ରାଜନୈତିକ ଓ ଆଇନଗତ ଚାପ ବଢ଼ିଛି। ତେବେ ମାମଲାରେ ଉଠିଥିବା ଦୁର୍ନୀତି ସମ୍ପର୍କିତ ଅଭିଯୋଗଗୁଡ଼ିକର ସତ୍ୟତା CBI ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial