ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୨୦ ବର୍ଷୀୟ ଜଣେ ଯୁବତୀ ନିଜ ୭୫ ବର୍ଷୀୟ ଜେଜେବାପାଙ୍କୁ କ୍ରିକେଟ୍ ବ୍ୟାଟ୍ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବୃଦ୍ଧଙ୍କର ପରେ ମୃତ୍ୟୁ ହୋଇଥିବା ପୋଲିସ ସୂଚନାରୁ ଜଣାପଡ଼ିଛି। ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଅଭିଯୁକ୍ତା ନାତୁଣୀ ଘରେ ପହଞ୍ଚିବା ପରେ କୌଣସି କାରଣକୁ ନେଇ ନିଜ ଜେଜେବାପା ଓ ଜେଜେମାଙ୍କ ସହ ଝଗଡ଼ା ହୋଇଥିଲା। କ୍ରମେ ବିବାଦ ଉଗ୍ର ହେବା ପରେ ଯୁବତୀ ଏକ କ୍ରିକେଟ୍ ବ୍ୟାଟ୍ରେ ଜେଜେବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏଥିରେ ବୃଦ୍ଧ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତା ଯୁବତୀ ଜଣକ ନିଜ ଜେଜେବାପାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଜେଜେବାପା ଦୀର୍ଘଦିନ ଧରି ତାଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଆସୁଥିଲେ। ପରିବାରର ବଦନାମ ଏବଂ ସାମାଜିକ ଲଜ୍ଜା ଭୟରେ ସେ ଏହି କଥା କାହାକୁ କହିନଥିବା ଦାବି କରିଛନ୍ତି। ଯୁବତୀଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ଏହି ଅଭିଯୋଗିତ ବ୍ୟବହାର ଯୋଗୁଁ ସେ ମାନସିକ ଭାବେ ଅତିଷ୍ଠ ହୋଇପଡ଼ିଥିଲେ। ଶେଷରେ ବିବାଦ ସମୟରେ ସେ ଜେଜେବାପାଙ୍କୁ ବ୍ୟାଟ୍ରେ ଆକ୍ରମଣ କରିଥିବା ପୋଲିସକୁ କହିଛନ୍ତି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି। ଯୁବତୀ ଆଣିଥିବା ଅସଦାଚରଣ ସମ୍ପର୍କିତ ଅଭିଯୋଗର ସତ୍ୟତା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ଖୋଳତାଡ଼ କରୁଛି।













Leave a Reply