ନୂଆଦିଲ୍ଲୀ: ଦିଲ୍ଲୀରେ ମହିଳା ଓ ନାବାଳିକାଙ୍କ ବିରୋଧରେ ବଢୁଥିବା ଅପରାଧକୁ ନେଇ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ସାମ୍ପ୍ରତିକ ଦୁଷ୍କର୍ମ ଘଟଣାକୁ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସକୁ କଡ଼ା ଭାଷାରେ ତାଗିଦ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ମହିଳାମାନେ ଯେପରି ଦିନ ହେଉ କି ରାତି, ଦିଲ୍ଲୀରେ ନିର୍ଭୟରେ ଚଳାଚଳ କରିପାରିବେ, ସେଥିପାଇଁ ପ୍ରଶାସନକୁ ଠୋସ୍ ପଦକ୍ଷେପ ନେବାକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି।
ବିଚାରପତି ଜଷ୍ଟିସ୍ ପାର୍ଦିୱାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଦିଲ୍ଲୀରେ ମହିଳା ସୁରକ୍ଷାର ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ମହିଳାମାନେ ସୁରକ୍ଷିତ ନାହାନ୍ତି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଉଥିବା ବେଳେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ମଧ୍ୟ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା କୋର୍ଟ ଉଲ୍ଲେଖ କରିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାତି ୧୦ଟା ସମୟରେ ମଧ୍ୟ ଦିଲ୍ଲୀର ପ୍ରତିଜଣେ ମହିଳାଙ୍କ ସୁରକ୍ଷା ନିଶ୍ଚିତ ହେବା ଆବଶ୍ୟକ। ଦିଲ୍ଲୀର ପ୍ରତ୍ୟେକ ମହିଳା ଯେପରି ନିଜକୁ ସୁରକ୍ଷିତ ଅନୁଭବ କରିବେ, ତାହା ନିଶ୍ଚିତ କରିବା କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
ଏଥିସହ ପ୍ରଶାସନର କୌଣସି ଭୁଲ୍ କିମ୍ବା ତ୍ରୁଟି ଯେପରି ଅପରାଧ ଘଟାଇବା ପାଇଁ ସୁଯୋଗ ସୃଷ୍ଟି ନକରେ, ସେଥିପ୍ରତି ଗୁରୁତ୍ୱ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଅପରାଧ ଘଟିବା ପରେ ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ନୁହେଁ, ଅପରାଧକୁ ରୋକିବା ଏବଂ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଦିଲ୍ଲୀ-ଏନ୍ସିଆର୍ରେ ମହିଳା ଓ ନାବାଳିକାଙ୍କ ବିରୋଧରେ ସାମ୍ପ୍ରତିକ ଘଟଣାଗୁଡ଼ିକୁ ନେଇ ସୁପ୍ରିମକୋର୍ଟଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ଦିଲ୍ଲୀ ପୋଲିସ ଓ ପ୍ରଶାସନ ଉପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ଚାପ ବଢ଼ିଛି। ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ସହ ଅପରାଧ ରୋକିବାରେ ପ୍ରଶାସନ କେତେ ଶୀଘ୍ର ଓ ପ୍ରଭାବୀ ପଦକ୍ଷେପ ନେଉଛି, ଏବେ ତାହା ଉପରେ ନଜର ରହିଛି।













Leave a Reply