ଅଙ୍ଗନବାଡ଼ିରେ ‘ତ୍ରିରଙ୍ଗା ଥାଳି’, ପିଲାଙ୍କୁ ଖାଦ୍ୟ ପରଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳା ଓ ଶିଶୁଙ୍କ ପୋଷଣରେ ଉନ୍ନତି ଆଣିବା ସହ ପୋଷଣ ସଚେତନତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଅଙ୍ଗନବାଡ଼ି ଓ ସ୍କୁଲ ଜରିଆରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ରାଜ୍ୟସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଷଣ କ୍ଷେତ୍ରରେ ଅଧିକ ଉନ୍ନତି ପାଇଁ କେବଳ ମହିଳା ନୁହେଁ, ପୁରୁଷ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସାମିଲ କରାଯାଉଛି। ବିଶେଷକରି ଶିଶୁର ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଶିଶୁର ଯତ୍ନ ଓ ପୌଷ୍ଟିକ ସ୍ଥିତିରେ ମା’ଙ୍କ ସହ ପିତା ଓ ପରିବାରର ଅନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ଜଡ଼ିତ ହେବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଚଳିତ ପୋଷଣ ମାସ ଅବସରରେ ରାଜ୍ୟବ୍ୟାପୀ ୪୬ ଲକ୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଧାର ଯାଞ୍ଚ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିବା ସେ ଦାବି କରିଛନ୍ତି। ଅଙ୍ଗନବାଡ଼ି କର୍ମୀ, ସହାୟିକା, ANM ଓ ଆଶା କର୍ମୀଙ୍କ ତୃଣମୂଳ ସ୍ତରର ସେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ରାଜ୍ୟରେ ପୂର୍ବାପେକ୍ଷା ଶିଶୁ ଟୀକାକରଣ, ଅନୁଷ୍ଠାନିକ ପ୍ରସବ ଓ ଶିଶୁ-ମାତୃ ମୃତ୍ୟୁହାର କ୍ଷେତ୍ରରେ ଉନ୍ନତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଓଡ଼ିଶା ଶିଶୁ ଓ ମାତୃ ମୃତ୍ୟୁହାରରେ ଦେଶର ଅନ୍ୟତମ ଉଚ୍ଚ ସ୍ଥାନରେ ଥିବା ବେଳେ ଏବେ ଉଭୟ ମାପକାଠିରେ ରାଜ୍ୟ ସନ୍ତୋଷଜନକ ସ୍ଥିତିକୁ ଆସିପାରିଛି ବୋଲି ସେ କହିଛନ୍ତି। ମହିଳା ସଶକ୍ତିକରଣ ବିନା ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବ ନୁହେଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ‘ସୁଭଦ୍ରା ଯୋଜନା’, ‘ଲକ୍ଷପତି ଦିଦି’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଭଳି ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ମୋଟ ବଜେଟର ଅତିକମରେ ୪୦ ପ୍ରତିଶତ ମହିଳାଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ସେ କହିଥିଲେ।

ସେହିପରି ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷା ଦେୟମୁକ୍ତ କରାଯାଇଥିବା ସେ କହିଥିଲେ। ଜନ୍ମିତ ଶିଶୁକନ୍ୟା ସ୍ନାତକ ଶିକ୍ଷା ସମାପ୍ତ କଲେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ ବୋଲି ମଧ୍ୟ ସେ କହିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ମାଧ୍ୟମରେ ଚିହ୍ନଟ ବେସରକାରୀ ହସ୍ପିଟାଲରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ଦିଆଯାଉଥିବା ସେ ସୂଚନା ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି ପିଲାମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିଥିଲେ। ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ କରିଥିବା ବାପାମାନଙ୍କୁ ପୁରସ୍କୃତ କରିବା ସହ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ଆଶା କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସମୟରେ ସେ ‘ତ୍ରିରଙ୍ଗା ଥାଳି’ ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଅନୁଧ୍ୟାନ କରିବା ସହ ଶିଶୁମାନଙ୍କୁ ଖାଦ୍ୟ ପରଷିଥିଲେ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ସ୍ୱାଲ, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ସମେତ ବିଭାଗୀୟ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ, ଶିଶୁ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial