୪୪ ଡିଗ୍ରୀ ଛୁଇଁଲା ରାଜ୍ୟର ତାପମାତ୍ରା; ଆହୁରି ୧୫ ଦିନ ଜାଳିବ ତାତି, ଆକଳନ କଲା ପାଣିପାଗ ବିଭାଗ ।

ଅକ୍ଷର ବ୍ୟୁରୋ: ୪୪ ଡିଗ୍ରୀ ଛୁଇଁଲା ରାଜ୍ୟର ତାପମାତ୍ରା । ସାରା ରାଜ୍ୟରେ ଡହଡହ ତାତି, ଅସ୍ତବ୍ୟସ୍ତ ହେଲେଣି ଓଡିଶାବାସୀ । ବାହାରକୁ ବାହାରିବା ତ ଦୂରର କଥା, ଚାହିଁଲେ ଡର ଲାଗୁଛି । ଗତ ୨୦ ତାରିଖରେ ୩୫.୭, ୨୧ରେ ୩୭.୯, ୨୨ରେ ୪୧.୨ ଆଉ ଗତକାଲି ସିଧା ୪୨.୧ ଡିଗ୍ରୀକୁ ବୃଦ୍ଧି । ୪ ଦିନ ଭିତରେ ପାଖାପାଖି ୭ ଡିଗ୍ରୀ ବଢିଛି ଦିନ ତାପମାତ୍ରା । ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଗୁରୁବାର ସକାଳୁ ସକାଳୁ ହିଁ ଅନୁଭୂତ ହୋଇଥିଲା ଅସମ୍ଭାଳ ତାତି । ପଦାକୁ ବାହାରିଲେ ମୁହଁ ପୋଡ଼ିଯାଉଥିଲା । ଦିନ ବଢିବା ସହ ଗରମରେ ଆଉଟୁ ପାଉଟୁ ହେଉଥିଲେ ଭୁବନେଶ୍ୱର ବାସିନ୍ଦା । କେବଳ ରାଜଧାନୀ ନୁହେଁ ପଶ୍ଚିମ ଓଡ଼ିଶାର ଶିଳ୍ପ ସହର ଝାରସୁଗୁଡାରେ ମଧ୍ୟ ତାତିର ତାଉ କାହିଁରେ କଣ । ୪୪ ଡିଗ୍ରୀ ସହ ଝାରସୁଗୁଡ଼ା ଓ ତାଳଚେର ପାଲଟିଛନ୍ତି ରାଜ୍ୟର ସବୁଠୁ ତତଲା ସହର । 

ଗୁରୁବାର ଝାରସୁଗୁଡ଼ା ୪୪ ଡିଗ୍ରୀ ସେଲସିୟସ୍ ତାଉରେ ଟକଟକ ହୋଇ ଫୁଟୁଥିଲା । କୋଇଲା ନଗରୀ ତାଳଚେର ବି ୪୪ ଡିଗ୍ରୀ ତାତିରେ ଦାଉଦାଉ ହୋଇ ଜଳୁଥିଲା । ଏ ଦୁଇ ସହର ପାଲଟିଥିଲେ ଦେଶର ଚତୁର୍ଥ ତତଲା ସହର । ଗତକାଲି ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼ ତାପମାତ୍ରା ୪୩.୮, ଢେଙ୍କାନାଳ ୪୩.୫, ଅନୁଗୁଳ ୪୩.୫, ହୀରାକୁଦ ୪୩.୪, ପାରଳାଖେମୁଣ୍ଡି ୪୩, ସମ୍ବଲପୁର ୪୩ ଡିଗ୍ରୀ ଛୁଇଁଥିଲା । ରାଉରକେଲା, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଭବାନୀପାଟଣା, ସୋନପୁର, ସୁନ୍ଦରଗଡ଼ ଓ ଭୁବନେଶ୍ୱରରେ ପାରଦ ୪୨ ଡେଇଁଲା । କଟକ ପହଞ୍ଚିଲା ୪୧.୮ ଡିଗ୍ରୀରେ ।

ଶୁକ୍ରବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, ରାୟଗଡ଼ାରେ ହିଟ୍ ୱେଭ ସ୍ଥିତି ରହିବ । ବଲାଙ୍ଗୀର, ସମ୍ବଲପୁର, କନ୍ଧମାଳରେ ରାତିରେ ବି ଗରମ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିପାରେ । ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ସମ୍ଭାବନା ଅଛି । ୨୫ରୁ ନିୟମିତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ ବଡ଼ ବର୍ଷା ସମ୍ଭାବନା କମ୍ । ୨୪ ତାରିଖ ପଶ୍ଚିମରେ ପାରଦ ୪୫ ଡିଗ୍ରୀ ଛୁଇଁବା ସହ ଭୁବନେଶ୍ୱର ୪୩ ଡିଗ୍ରୀରେ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗର ତାଜା ଆକଳନ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)