ଅକ୍ଷର ବ୍ୟୁରୋ: ଅସହ୍ୟ ଗରମରେ ସନ୍ତୁଳି ହେଉଥିବା ପଶ୍ଚିମ ଓଡ଼ିଶାରେ କମିବ ତାତି, ୨ରୁ ୩ ଡିଗ୍ରୀ ଖସିପାରେ ତାପମାତ୍ରା । ମେ ୧ ଓ ୨ ତାରିଖ ବେଳକୁ ରାଜ୍ୟରେ ତାତି କମିପାରେ । ସବୁଠୁ ଉତ୍ତପ୍ତ ପାଲଟିଥିବା ଝାରସୁଗୁଡ଼ାରେ ବି ତାତି ୪୦ ଡିଗ୍ରୀକୁ ଖସିପାରେ । ଆଗକୁ କାଳବୈଶାଖୀ ଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଝାରସୁଗୁଡ଼ାରେ ତାପମାତ୍ରା ୪୫.୩ ଡିଗ୍ରୀ ରେକର୍ଡ ହୋଇଥିଲା । ଚଳିତ ଗ୍ରୀଷ୍ମଋତୁରେ ଏହା ଥିଲା ସର୍ବାଧିକ ରେକର୍ଡ ତାତି । ତାତିରେ ଏହା ଦେଶର ଦ୍ୱିତୀୟ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ଏଠାରେ ସ୍ୱାଭାବିକଠାରୁ ୪.୫ ଡିଗ୍ରୀ ଅଧିକ ତାତି ରେକର୍ଡ ହୋଇଛି । ୪୫.୬ ଡିଗ୍ରୀ ତାପମାତ୍ରା ଯୋଗୁ ଉତ୍ତରପ୍ରଦେଶର ବାନ୍ଦା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁରରେ ୪୩.୫ଡିଗ୍ରୀ ଓ ଢେଙ୍କାନାଳରେ ୪୩.୪ ଡିଗ୍ରୀ ରେକର୍ଡ ହୋଇଛି ।
କାଳବୈଶାଖୀ ପ୍ରଭାବ ଯୋଗୁ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ତାତି କମ୍ ରହିବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁସାରେ, ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇପାରେ । ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଠାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ଆଶଙ୍କା ଅଛି । ୫୦ରୁ ୬୦ କିମି ବେଗରେ ପବନ ବି ବହିପାରେ । ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ତେବେ ଅଧିକ ଆର୍ଦ୍ରତା ଯୋଗୁ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ । ୧୬ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । କିନ୍ତୁ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ରହିପାରେ ।












Leave a Reply