ଅକ୍ଷର ବ୍ୟୁରୋ: ରାଜ୍ୟରେ କାଳବୈବୈଶାଖୀ ବର୍ଷାକୁ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିିଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲିଠୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ ହେବାର ସମ୍ଭାବନା ରହିଛି । ଆଗାମୀ ୫ ଦିନ ବା ୧୩ରୁ ୧୭ ତାରିଖ ଯାଏଁ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ପବନ ବହିପାରେ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆଗାମୀ ୧୩ ତାରିଖରୁ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବା ମଧ୍ୟ ଆକଳନ କରାଯାଉଛି ।
ସେପଟେ ଅଗ୍ରସର ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ସ୍ୱାଭାବିକ ସମୟ ମଧ୍ୟରେ ଆସିବ ମୌସୁମୀ । ଚଳିତ ସପ୍ତାହର ଶେଷ ଆଡକୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି । ପ୍ରତିବର୍ଷ ମେ ୧୮ ରୁ ୧୯ ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ । କେରଳ ଛୁଇଁବାର ୧୦ ରୁ ୧୨ ଦିନ ମଧ୍ୟରେ ଓଡ଼ିଶାକୁ ଅଗ୍ରସର ହୋଇଥାଏ ମୌସୁମୀ । କିନ୍ତୁ ଚଳିତବର୍ଷ ଏହି ପ୍ରକ୍ରିୟା ସଅଳ ହେବ । ଏପରିକି ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।











Leave a Reply