ସ୍ୱାଭାବିକ ସମୟ ପୂର୍ବରୁ ଭାରତରେ ପ୍ରବେଶ କରିବ ମୌସୁମୀ ବାୟୁ; ଆସନ୍ତା ମେ’ ୨୬ ତାରିଖରେ ଛୁଇଁପାରେ କେରଳ ।

ଅକ୍ଷର ବ୍ୟୁରୋ: ଏଥର ସ୍ୱାଭାବିକ ସମୟ ଅର୍ଥାତ୍ ଜୁନ୍ ୧ ତାରିଖର ପୂର୍ବରୁ ମୌସୁମୀ ଭାରତରେ ପ୍ରବେଶ କରିବାକୁ ଯାଉଛି । ଆସନ୍ତା ମେ’ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଶୁକ୍ରବାର ଏହି ଗୁରୁତ୍ୱପୂର୍ଣ୍ଣ ଆକଳନ କରାଯାଇଛି । ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର । ବର୍ତ୍ତମାନ ସମଗ୍ର ଦେଶ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଇ ଗତି କରୁଛି । ରାଜସ୍ଥାନର ବାରମେର୍‌ରେ ତାପମାତ୍ରା ୪୭.୩°C ରେକର୍ଡ କରାଯାଇଥିବା ବେଳେ ମହାରାଷ୍ଟ୍ର, ଗୁଜରାଟ ଏବଂ ମଧ୍ୟପ୍ରଦେଶ ପାଇଁ ହିଟ୍‌ୱେଭ୍ ଆଲର୍ଟ ଜାରି ରହିଛି ।

ଏଭଳି ସ୍ଥିତିରେ ମୌସୁମୀର ଆଗୁଆ ଆଗମନ ଦେଶର କୋଟି କୋଟି ଜନତା ଏବଂ ବିଶେଷ କରି ଚାଷୀକୂଳ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେବ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହି ଆକଳନରେ ପ୍ଲସ୍ କିମ୍ବା ମାଇନସ୍ ୪ ଦିନର ତ୍ରୁଟି ମାର୍ଜିନ୍ ରହିଥାଏ, ଯାହାର ଅର୍ଥ ମେ’ ୨୨ ରୁ ୩୦ ତାରିଖ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବା ନିଶ୍ଚିତ । ଭାରତୀୟ ପାଣିପାଗ ବିଭାଗ ୨୦୦୫ ମସିହାରୁ ଏକ ସ୍ୱତନ୍ତ୍ର ପରିସଂଖ୍ୟାନ ମଡେଲ୍ ବ୍ୟବହାର କରି କେରଳରେ ମୌସୁମୀ ଆଗମନର ସଠିକ୍ ଆକଳନ କରିଆସୁଛି । ଭାରତ ମହାସାଗର, ପ୍ରଶାନ୍ତ ମହାସାଗରର ପବନର ଗତିପଥ ଏବଂ ଉତ୍ତର-ପଶ୍ଚିମ ଭାରତର ତାପମାତ୍ରାକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଏ । ବିଗତ ୨୧ ବର୍ଷ ମଧ୍ୟରେ କେବଳ ୨୦୧୫ ମସିହାକୁ ବାଦ୍ ଦେଲେ, ପାଣିପାଗ ବିଭାଗର ଏହି ମଡେଲ୍ ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)