ଅକ୍ଷର ବ୍ୟୁରୋ: ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା । ଆକାଶରୁ ଖାଲି ନିଆଁ ବର୍ଷୁଛି । ରାଜ୍ୟରେ ୪୬ ଡିଗ୍ରୀ ଛୁଇଲାଣି ପାରଦ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୫ ଦିନ ଅର୍ଥାତ୍ ଆସନ୍ତା ୨୬ ତାରିଖ ଯାଏଁ ନିସ୍ତାର ନାହିଁ । ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ଆହୁରୀ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ପାଣିପାଗ ବିଭାଗ ସତର୍କ କରାଇଛି, ଗୁରୁବାରଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଓ ବଲାଙ୍ଗୀରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ । ଏହି ଦୁଇ ସହର ସହ ସୁନ୍ଦରଗଡ଼ରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ । ଏହାସହ ଭଦ୍ରକ, ଯାଜପୁର, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ କଲବଲ କରିପାରେ ।
ପଶ୍ଚିମ ଓଡ଼ିଶାରେ ତାତିର ଏଭଳି ଟ୍ରେଣ୍ଡ୍ ଆଗାମୀ ୫ ଦିନ ପାଇଁ ଲାଗି ରହିବ । ଅଧିକାଂଶ ସ୍ଥାନରେ ଅତ୍ୟଧିକ ତାପାମାତ୍ରା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଛି । ଗତକାଲି ଝାରସୁଗୁଡ଼ାରେ ୪୬ ଡିଗ୍ରୀ ସହ ଏ ବର୍ଷ ରେକର୍ଡ ଭାଙ୍ଗିଛି ତାତି । ଏହାପୂର୍ବରୁ ୨୦୨୪ ମେ ୩୧ରେ ଝାରସୁଗୁଡାରେ ପାରଦ ୪୭ ଡିଗ୍ରୀ ଛୁଇଁଥିଲା । ଆସନ୍ତା କିଛି ଦିନ ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ପ୍ରାୟ ୪୬ ଡିଗ୍ରୀ ରହିବା ନେଇ ଅନୁମାନ କରାଯାଇଛି । ସେହିଭଳି ବରଗଡ଼, ବୌଦ୍ଧ, ବଲାଙ୍ଗିର, ଟିଟିଲାଗଡ଼, ନୂଆପଡ଼ା ଓ ଅନୁଗୁଳରେ ବି ସ୍ବାଭାବିକଠୁ ଅଧିକ ପାରଦ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।















Leave a Reply