ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଅନୁଗୁଳର ଦାଦନ ଶ୍ରମିକ ବୁଧୁବାରୀ ନାଏକଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ତାମିଲନାଡୁରେ ଘଟିଥିବା ଭୟାବହ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି। ଏହି ଦୁର୍ଘଟଣାରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଆଲୋରୀ ପଞ୍ଚାୟତ ଅନ୍ଧାରୀ ସାହିର ବୁଧୁବାରୀ ନାଏକଙ୍କ ମୃତ୍ୟୁ ହୋଇଥିବା ଖବର ତାଙ୍କ ପରିବାର ଓ ଅଞ୍ଚଳବାସୀଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଛି।

ସୂଚନା ଅନୁଯାୟୀ, ଜୀବିକା ନିର୍ବାହ ପାଇଁ ତାମିଲନାଡୁକୁ ଦାଦନ ଶ୍ରମିକ ଭାବେ ଯାଇଥିବା ବିଧବା ବୁଧୁବାରୀ ନାଏକ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଛନ୍ତି। ଦିନେ ରୋଜଗାର ପାଇଁ ଘର ଛାଡ଼ିଥିବା ବୁଧୁବାରୀ ଆଜି ମୃତଦେହ ହୋଇ ନିଜ ଗାଁକୁ ଫେରିଛନ୍ତି। ପୁଲିସ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବୁଧୁବାରୀଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘରକୁ ମୃତଦେହ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବାରୁ ସେମାନଙ୍କୁ ଯଥାଶୀଘ୍ର ସରକାରୀ କ୍ଷତିପୂରଣ ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏହା ପୂର୍ବରୁ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଜଣେ ଜୁଆଙ୍ଗ ଯୁବତୀ ମଧ୍ୟ ଏହି ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ବର୍ତ୍ତମାନ ସୁଦ୍ଧା ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣ କେନ୍ଦୁଝର ଜିଲ୍ଲାର ଶ୍ରମିକ ଥିବା ସୂଚନା ମିଳିଛି। ଏହି ଘଟଣା ଓଡ଼ିଶାରୁ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ, ଆର୍ଥିକ ସହାୟତା ଓ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)