ସାମାନ୍ୟ ମୋବାଇଲକୁ ନେଇ ରକ୍ତାକ୍ତ ପରିବାର! ବାପା ଓ ଭାଇଙ୍କୁ କଟୁରୀରେ ହାଣିଲା ବଡ଼ପୁଅ

ଅକ୍ଷର ବ୍ୟୁରୋ: ସାମାନ୍ୟ ଏକ ମୋବାଇଲ ଫୋନକୁ କେନ୍ଦ୍ର କରି ଘଟିଛି ରକ୍ତାକ୍ତ ପାରିବାରିକ କାଣ୍ଡ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିରାଥଳି ଗାଁରେ ବଡ଼ପୁଅ କଟୁରୀରେ ଆକ୍ରମଣ କରି ନିଜ ବାପା ଓ ସାନଭାଇଙ୍କୁ ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଗାଁର ସଦାନନ୍ଦ ବାରିକଙ୍କ ସାନପୁଅ ସୁଶାନ୍ତ କିଛିଦିନ ପୂର୍ବରୁ ରାସ୍ତାରୁ ଏକ ମୋବାଇଲ ଫୋନ ପାଇଥିଲେ। ପରେ ମୋବାଇଲର ପ୍ରକୃତ ମାଲିକ ଆସିବା ପରେ ସେହି ଫୋନ ତାଙ୍କୁ ଫେରାଇ ଦିଆଯାଇଥିଲା। ତେବେ ଏହି ଘଟଣାକୁ ନେଇ ସଦାନନ୍ଦଙ୍କ ବଡ଼ପୁଅ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ରାଗରେ ସେ ଏକ କଟୁରୀ ଧରି ବାପା ସଦାନନ୍ଦଙ୍କ ଗୋଡ଼କୁ ହାଣିଥିବା ବେଳେ, ସାନଭାଇ ସୁଶାନ୍ତଙ୍କ ମୁଣ୍ଡକୁ ମଧ୍ୟ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଘଟଣାର ଖବର ପାଇ ଖୁଣ୍ଟା ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ସାମାନ୍ୟ ଏକ ମୋବାଇଲକୁ ନେଇ ପରିବାର ଭିତରେ ଏଭଳି ହିଂସାତ୍ମକ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)