ତାସ ଖେଳରୁ ତୁମୁଳ କାଣ୍ଡ: ବିୟର ବୋତଲରେ ଆକ୍ରମଣ, କଟକରେ ଜଣେ ଗୁରୁତର; ଅଭିଯୁକ୍ତ ଫେରାର

ଅକ୍ଷର ବ୍ୟୁରୋ: ତାସ ଖେଳକୁ କେନ୍ଦ୍ର କରି କଟକ ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ହିଂସାକାଣ୍ଡ। ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ମାଟିପାରିଲୋ ଗାଁରେ ତାସ ପତା ପକାଇବାକୁ ନେଇ ଆରମ୍ଭ ହୋଇଥିବା ବଚସା ପରବର୍ତ୍ତୀ ସମୟରେ ରକ୍ତାକ୍ତ ଆକ୍ରମଣର ରୂପ ନେଇଛି। ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ ବିୟର ବୋତଲରେ ଆକ୍ରମଣ କରାଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ମାଟିପାରିଲୋ ଗାଁ ଛକରେ କିଛି ଯୁବକ ତାସ ଖେଳୁଥିଲେ। ଏହି ସମୟରେ ତାସ ପତା ପକାଇବାକୁ ନେଇ ଜୟନ୍ତ ସାମଲ ଓ ତ୍ରିନାଥ ସାମଲଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପରେ ଘଟଣାର ଆପୋଷ ସମାଧାନ ହୋଇଥିଲା। ତେବେ ଘଟଣା ସେତିକିରେ ଥମିନଥିଲା। ତ୍ରିନାଥଙ୍କ ପିତା ସୁବାସ ସାମଲ ଗାଁ ଛକରେ ଘଟଣା ବିଷୟରେ ପଚାରି ବୁଝୁଥିବା ବେଳେ ଜୟନ୍ତ ଏହାକୁ ବିରୋଧ କରିଥିବା ଅଭିଯୋଗ ହୋଇଛି। ପରେ ସୁବାସ ଗାଁରେ ଆୟୋଜିତ ଏକ ବିବାହ ଭୋଜିରେ ଯୋଗଦେଇ ଫେରୁଥିବା ବେଳେ ଅଧା ବାଟରେ ତାଙ୍କୁ ଅଟକାଯାଇଥିଲା।

ଅଭିଯୋଗ ଅନୁସାରେ, ଜୟନ୍ତ ସାମଲ ସୁବାସଙ୍କ ଉପରେ ବିୟର ବୋତଲରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁବାସ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଘଟଣା ପରେ ପୀଡ଼ିତ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ଦାଖଲ କରାଯାଇଛି। ଏହା ଆଧାରରେ ପୁଲିସ ଅଭିଯୁକ୍ତ ଜୟନ୍ତ ସାମଲଙ୍କ ବାପା ଓ ଭାଇଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇଛି। ତେବେ ମୁଖ୍ୟ ଅଭିଯୁକ୍ତ ଜୟନ୍ତ ସାମଲ ଫେରାର ଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ଗାଁରେ ସାମାନ୍ୟ କଥାକୁ ନେଇ ହିଂସାକାଣ୍ଡ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)