ଅକ୍ଷର ବ୍ୟୁରୋ: ରାଜ୍ୟର ସର୍ବବୃହତ୍ ସରକାରୀ ଚିକିତ୍ସାନୁଷ୍ଠାନ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ବହୁ ପ୍ରତୀକ୍ଷିତ ମେଗା ରୂପାନ୍ତରଣ ପ୍ରକଳ୍ପରେ ପୁଣି ବିଳମ୍ବ ହୋଇଛି। ସରକାରଙ୍କ ଲକ୍ଷ୍ୟ ଥିଲା ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ନୂଆ କ୍ଲିନିକାଲ ୟୁନିଟ୍ ବିଲ୍ଡିଂକୁ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା। କିନ୍ତୁ ନିର୍ଦ୍ଧାରିତ ସମୟସୀମା ବିତିଯାଇଥିଲେ ମଧ୍ୟ କାମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ।
ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, କ୍ଲିନିକାଲ ୟୁନିଟ୍–୧ ଏବଂ ୟୁନିଟ୍–୪ରେ ବିଦ୍ୟୁତ ସଂଯୋଗ ସମ୍ପର୍କିତ କାମ ଏପର୍ଯ୍ୟନ୍ତ ବାକି ରହିଛି। ଏହି କାରଣରୁ ସମଗ୍ର ପ୍ରକଳ୍ପ ଶେଷ ହେବା ଏବଂ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପ୍ରକ୍ରିୟାରେ ଆହୁରି ସମୟ ଲାଗିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ଆବାସିକ ଗୃହଗୁଡ଼ିକର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍ ଶୀଘ୍ର ସେଗୁଡ଼ିକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ମେଗା ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। କିନ୍ତୁ ବାରମ୍ବାର ସମୟସୀମା ବଢ଼ୁଥିବାରୁ ନୂଆ କ୍ଲିନିକାଲ ବିଲ୍ଡିଂ କେବେ ରୋଗୀଙ୍କ ସେବାରେ ଲାଗିବ, ତାହାକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି। ଗତକାଲି ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ପୂର୍ବତନ ମନ୍ତ୍ରୀ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଯାଇଥିବାବେଳେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଥିଲେ। ଏସ୍ସିବିର ବହୁ ପ୍ରତୀକ୍ଷିତ ରୂପାନ୍ତରଣ ପ୍ରକଳ୍ପରେ ବିଳମ୍ବ ଯୋଗୁଁ ରୋଗୀ, ସେମାନଙ୍କ ପରିବାର ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ପ୍ରକଳ୍ପକୁ ଶୀଘ୍ର ଶେଷ କରି ଲୋକସେବାରେ ସାମିଲ କରିବାକୁ ଦାବି ଜୋର ଧରିଛି।












Leave a Reply