ଅକ୍ଷର ବ୍ୟୁରୋ: ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ତିନି ଦିନିଆ ଗସ୍ତକୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏୟାରପୋର୍ଟଠାରୁ ରେଳ ଷ୍ଟେସନ ଓ ପ୍ରମୁଖ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରାଯାଇଥିବା ବେଳେ ଭୁବନେଶ୍ୱର-କଟକ ଟ୍ୱିନ୍ ସିଟିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନ ୨ଟା ୨୦ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧା କଟକ ଜିଲ୍ଲାର ମୁଣ୍ଡଳୀସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମ ଶେଷ ପରେ ସେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନକୁ ଫେରିବେ ଏବଂ ସେଠାରେ ରାତ୍ରିଯାପନ କରିବେ।ଗସ୍ତର ଦ୍ୱିତୀୟ ଦିନ ସକାଳ ୯ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଅଭିମୁଖେ ବାହାରିବେ। ପ୍ରାୟ ୨ ଘଣ୍ଟା ୧୦ ମିନିଟ୍ ଯାତ୍ରା ପରେ ସେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଟି. ଗୋବିନ୍ଦପୁର ପଞ୍ଚାୟତସ୍ଥିତ ପ୍ରସିଦ୍ଧ ତପ୍ତପାଣି ଉଷ୍ମ ପ୍ରସବଣ ପରିସରରେ ଥିବା ମା’ କନ୍ଧୁଣି ଦେବୀଙ୍କ ପୀଠକୁ ଯାଇ ଦର୍ଶନ କରିବେ। ସେଠାରେ ସ୍ଥାନୀୟ ଲୋକଙ୍କ ସହ ସମୟ ବିତାଇବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।
ପରେ ରାଷ୍ଟ୍ରପତି ବ୍ରହ୍ମପୁରସ୍ଥିତ ଆର୍ମି ଏଡି କଲେଜକୁ ଯାଇ ରାତ୍ରିଭୋଜନ କରିବା ସହ ସେଠାରେ ରାତ୍ରିଯାପନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତପ୍ତପାଣି ପୀଠ, ଆର୍ମି ଏଡି କଲେଜ ଏବଂ ସମ୍ପୂର୍ଣ୍ଣ ଗସ୍ତ ମାର୍ଗକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଏଥିସହ ଯାନବାହାନ ଚଳାଚଳ ଉପରେ ସ୍ୱତନ୍ତ୍ର କଟକଣା ଜାରି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ସ୍ତରରେ ରଖାଯାଇଛି। ଗସ୍ତର ଶେଷ ଦିନ ବୁଧବାର ସକାଳ ୧୦ଟା ୨୦ ମିନିଟ୍ରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ଭୁବନେଶ୍ୱର ରେଳ ଷ୍ଟେସନରୁ ସିଧା ବିମାନବନ୍ଦରକୁ ଯାଇ ମଧ୍ୟାହ୍ନ ୧ଟା ୦୫ ମିନିଟ୍ରେ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱର, କଟକ ଓ ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଭୂତପୂର୍ବ ଭାବେ କଡ଼ାକଡ଼ି କରାଯାଇଛି। ସାଧାରଣ ଲୋକଙ୍କୁ ଟ୍ରାଫିକ୍ ଆଡ୍ଭାଇଜରି ପାଳନ କରିବା ଏବଂ ସୁରକ୍ଷା ଯାଞ୍ଚରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।












Leave a Reply