ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ପୁଲିସ ହେପାଜତରୁ ଚମ୍ପଟ ମାରିଥିବା ଘଟଣା କମିଶନରେଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କୋର୍ଟ ଚାଲାଣ ପୂର୍ବରୁ କ୍ୟାଣ୍ଟିନରୁ ଅଭିଯୁକ୍ତର ଫେରାର ଘଟଣା ପୁଲିସର କାର୍ଯ୍ୟଶୈଳୀ ଓ ସୁରକ୍ଷା ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ସୂଚନା ଅନୁସାରେ, ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମହିଳା ଥାନା ପୁଲିସ ଭଦ୍ରକରୁ ଅଭିଯୁକ୍ତକୁ ଗିରଫ କରି ଭୁବନେଶ୍ୱରକୁ ଆଣିଥିଲା। ଆବଶ୍ୟକ ପଚରାଉଚରା ଶେଷ ହେବା ପରେ ତାକୁ କୋର୍ଟରେ ହାଜର କରିବା ପାଇଁ ପ୍ରସ୍ତୁତି ଚାଲିଥିଲା। କୋର୍ଟକୁ ନେବା ପୂର୍ବରୁ ପୁଲିସ କର୍ମଚାରୀମାନେ ତାକୁ ଜଳଖିଆ ଖୁଆଇବା ପାଇଁ କ୍ୟାଣ୍ଟିନକୁ ନେଇଥିଲେ। ତେବେ ସେଠାରେ ଅଭିଯୁକ୍ତ ଜଳଖିଆ ନ ଖାଇ ପାଇଖାନାକୁ ଯିବା ବାହାନା କରି ପୁଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ହଠାତ୍ ଅଭିଯୁକ୍ତ ନିଖୋଜ ହୋଇଯିବା ପରେ ପୁଲିସ କର୍ମଚାରୀଙ୍କ ମଧ୍ୟରେ ହଡ଼କମ୍ପ ସୃଷ୍ଟି ହୋଇଥିଲା ଏବଂ ତୁରନ୍ତ ତାଙ୍କୁ ଖୋଜିବା ପାଇଁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା।
ଘଟଣା ପରେ ମହିଳା ଥାନାର ଜଣେ ଏଏସଆଇ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଆଧାରରେ କମିଶନରେଟ୍ ପୁଲିସ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି। ସହରର ବିଭିନ୍ନ ପ୍ରବେଶ ପଥ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନାକାବନ୍ଦୀ କରାଯାଇଥିବା ବେଳେ ସିସିଟିଭି ଫୁଟେଜ୍କୁ ମଧ୍ୟ ଖୁବ୍ ସୂକ୍ଷ୍ମ ଭାବେ ଯାଞ୍ଚ କରାଯାଉଛି। ବିଭିନ୍ନ ପୁଲିସ ଟିମ୍ ଅଭିଯୁକ୍ତର ସମ୍ଭାବ୍ୟ ଲୁଚିଥିବା ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ପୁଲିସ ହେପାଜତରୁ ଜଣେ ଗୁରୁତର ଅପରାଧର ଅଭିଯୁକ୍ତ ଏଭଳି ଫେରାର ହୋଇଯିବା ଘଟଣା କେବଳ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇନାହିଁ, ବରଂ ପୁଲିସର କାର୍ଯ୍ୟପ୍ରଣାଳୀ ଓ ଦାୟିତ୍ୱବୋଧକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏବେ ସମସ୍ତଙ୍କ ନଜର ରହିଛି—କେବେ ଏବଂ କିପରି ଏହି ଫେରାର ଅଭିଯୁକ୍ତକୁ କମିଶନରେଟ୍ ପୁଲିସ ପୁଣି ଗିରଫ କରିବ।












Leave a Reply