ଅକ୍ଷର ବ୍ୟୁରୋ: ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବଭକ୍ତଙ୍କ ଆସ୍ଥାର ପ୍ରମୁଖ କେନ୍ଦ୍ର ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ ଧରଣର ନୀତି ବିଭ୍ରାଟ ଦେଖାଦେଇଛି। ହଜାର ହଜାର କାଉଡ଼ିଆ ଓ ଶିବଭକ୍ତ ଜଳାଭିଷେକ ପାଇଁ ମନ୍ଦିରରେ ପହଞ୍ଚିଥିବା ବେଳେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନିୟମିତ ପୂଜାନୀତି ବନ୍ଦ ରହିଛି। ଫଳରେ ବିଧିବଦ୍ଧ ପୂଜା ନ ହୋଇଥିଲେ ମଧ୍ୟ ଭକ୍ତମାନେ ଆସ୍ଥାର ସହ ବାବା ଲିଙ୍ଗରାଜଙ୍କୁ ଜଳ ଅର୍ପଣ କରି ଦର୍ଶନ କରିଛନ୍ତି।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରୁ ହିଁ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି। ଶ୍ରାବଣ ମାସର ବିଶେଷ ପାଉଣା ବଣ୍ଟନକୁ ନେଇ ବ୍ରାହ୍ମଣ ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ବିବାଦର ସମାଧାନ ହୋଇନଥିବାରୁ ମନ୍ଦିରର ନିୟମିତ ପୂଜାପାଠ ଓ ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି।ସୋମବାର ସକାଳେ ବଡୁ ସେବାୟତମାନେ ମନ୍ଦିରରେ ପହଞ୍ଚି ନିଜ ନିର୍ଦ୍ଧାରିତ ସେବା ସମ୍ପନ୍ନ କରିଥିଲେ। କିନ୍ତୁ ପୂଜାପଣ୍ଡା ସେବାୟତମାନେ ନୀତିରେ ସାମିଲ ହୋଇନଥିବାରୁ ବାବା ଲିଙ୍ଗରାଜଙ୍କର ନିୟମିତ ପୂଜା ସମ୍ପନ୍ନ ହୋଇପାରିନଥିଲା। ଏହା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଆସ୍ଥାରେ କୌଣସି ଭଟ୍ଟା ପଡ଼ିନଥିଲା। ହଜାର ହଜାର କାଉଡ଼ିଆ ଓ ଶିବଭକ୍ତ ପୂଜା ବିନା ହିଁ ବାବାଙ୍କୁ ଜଳଲାଗି କରି ଦର୍ଶନ କରିଥିଲେ।
ଶ୍ରାବଣ ମାସର ପ୍ରଥମ ସୋମବାର ଶିବଭକ୍ତଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଦିନ ହୋଇଥିବାରୁ ସକାଳୁ ମନ୍ଦିର ପରିସରରେ ଅସାଧାରଣ ଭିଡ଼ ଦେଖିବାକୁ ମିଳିଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଅପେକ୍ଷା କରିଥିଲେ। କିନ୍ତୁ ନିୟମିତ ପୂଜାନୀତି ବନ୍ଦ ଥିବାରୁ ଅନେକ ଭକ୍ତ ନିରାଶ ହୋଇଥିବା ଦେଖାଯାଇଛି। ସେପଟେ ମନ୍ଦିରରେ ଦେଖାଦେଇଥିବା ଏହି ନୀତି ବିଭ୍ରାଟକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେବାୟତମାନଙ୍କ ମଧ୍ୟରେ ଥିବା ବିବାଦର ଶୀଘ୍ର ସମାଧାନ କରି ସ୍ୱାଭାବିକ ପୂଜାନୀତି ତୁରନ୍ତ ଆରମ୍ଭ କରିବାକୁ ଭକ୍ତମାନେ ଦାବି କରିଛନ୍ତି। ଶ୍ରାବଣ ଭଳି ପବିତ୍ର ମାସରେ ଏପରି ନୀତି ବିଭ୍ରାଟ ନ ହେଉ ଏବଂ ଭକ୍ତମାନେ ଯେପରି ନିର୍ବିଘ୍ନରେ ପୂଜାର୍ଚ୍ଚନା କରିପାରିବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଦାବି ଜୋର ଧରିଛି।












Leave a Reply