ହୀରାକୁଦରେ କମୁଛି ଜଳସ୍ତର, ବନ୍ଦ ହେଲା ୩ ଗେଟ; ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କଲା ଜଳସମ୍ପଦ ବିଭାଗ

ଅକ୍ଷର ବ୍ୟୁରୋ: ଉପରମୁଣ୍ଡରେ ବର୍ଷାର ପରିମାଣ କମିବା ସହ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ (ଇନଫ୍ଲୋ) ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ କମୁଥିବା ବେଳେ ବନ୍ୟା ପରିସ୍ଥିତି ନେଇ ବଡ଼ ଆଶ୍ୱସ୍ତିକର ସୂଚନା ଦେଇଛି ଜଳସମ୍ପଦ ବିଭାଗ। ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ମହାନଦୀ ସମେତ ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟାର ଆଶଙ୍କା ନାହିଁ।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୫୮ ଫୁଟ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୨ ହଜାର ୫୨୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ଡ୍ୟାମରୁ ୩ ଲକ୍ଷ ୪୧ ହଜାର ୭୨୪ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଇନଫ୍ଲୋ ତୁଳନାରେ ଆଉଟ୍‌ଫ୍ଲୋ ଅଧିକ ଥିବାରୁ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି।ପରିସ୍ଥିତିରେ ସୁଧାର ଆସିବା ପରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ୨୨ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଥିବା ବେଳେ ବର୍ତ୍ତମାନ ୩ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୧୯ଟି ଗେଟ୍ ଦେଇ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯାଉଛି।

ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା ପରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ଉପରମୁଣ୍ଡ ଅଞ୍ଚଳରେ ବର୍ଷା ନ ହେବାରୁ ହୀରାକୁଦ ଜଳଭଣ୍ଡାରକୁ ଅତିରିକ୍ତ ଜଳ ପ୍ରବେଶର ସମ୍ଭାବନା ନାହିଁ। ତେଣୁ ଜଳସ୍ତର ବଢ଼ିବାର ଆଶଙ୍କା ମଧ୍ୟ ନାହିଁ। ଏହାସହ ମହାନଦୀ କିମ୍ବା ରାଜ୍ୟର ଅନ୍ୟ କୌଣସି ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ ଜଳଭଣ୍ଡାରର ସ୍ଥିତି ଓ ଉପରମୁଣ୍ଡର ବର୍ଷା ପରିସ୍ଥିତି ଉପରେ ଜଳସମ୍ପଦ ବିଭାଗ ଲଗାତାର ନଜର ରଖିଛି। ପରିସ୍ଥିତି ଅନୁଯାୟୀ ଗେଟ୍ ପରିଚାଳନା ଓ ଜଳ ନିଷ୍କାସନରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial