ବାଲେଶ୍ୱର ସୋରରେ ହାତୀ ଆତଙ୍କ! ସନ୍ଧ୍ୟା ହେଲେ ଘରେ କବାଟ ବନ୍ଦ, ଭୟରେ ରାତି କାଟୁଛନ୍ତି ଗ୍ରାମବାସୀ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ଦିନକୁ ଦିନ ବଢ଼ି ଚାଲିଛି ହାତୀ ଆତଙ୍କ। ମାଣିପୁର, ସିଙ୍ଗାଖୁଣ୍ଟା ଓ ଗୋପୀନାଥପୁର ପଞ୍ଚାୟତର ବିଭିନ୍ନ ଗାଁରେ ବନ୍ୟହାତୀଙ୍କ ଉତ୍ପାତ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସନ୍ଧ୍ୟା ନଇଁଲେ ରାସ୍ତାଘାଟ ଶୂନଶାନ ହୋଇଯାଉଥିବା ବେଳେ ଅନ୍ଧାର ପଡ଼ିବା ପୂର୍ବରୁ ଲୋକେ ଘରର ତାଟି କବାଟ ବନ୍ଦ କରି ଭୟଭୀତ ଅବସ୍ଥାରେ ରହୁଛନ୍ତି। ଜରୁରୀ କାମ ନ ଥିଲେ କେହି ଘରୁ ବାହାରିବାକୁ ସାହସ କରୁନାହାନ୍ତି। ବାରମ୍ବାର ହାତୀ ଆକ୍ରମଣ ସତ୍ତ୍ୱେ ସ୍ଥାୟୀ ସମାଧାନ ହୋଇନଥିବାରୁ ବନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ, ପ୍ରାୟ ପ୍ରତିଦିନ ହାତୀପଲ ଜନବସତି ମୁହାଁ ହେଉଥିବା ବେଳେ ଲୋକଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଉନାହିଁ।

ଗତ ଜୁଲାଇ ୨୫ ତାରିଖରେ ସୋର ଥାନା ଅଧୀନ ବାଘଆମ୍ପୁଡା ଗାଁରେ ଦୁଇ ଜଣ ବ୍ୟକ୍ତିଙ୍କୁ ହାତୀ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଏଥିରେ ଉଭୟ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ଓ ବନକର୍ମଚାରୀଙ୍କ ସହଯୋଗରେ ସେମାନଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ଜୁଲାଇ ୩୦ ତାରିଖ ରାତିରେ ଗୋପୀନାଥପୁର ପଞ୍ଚାୟତର ଉପରଗଡ଼ ଗାଁରେ ଏକ ପରିବାର ଘରେ ଶୋଇଥିବା ସମୟରେ ହାତୀପଲ ଘର ଉପରେ ଆକ୍ରମଣ କରିଥିଲା। ସୌଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ରହିଥିଲେ, କିନ୍ତୁ ହାତୀମାନେ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଆହୁରି ବଢ଼ିଯାଇଛି।

ହାତୀପଲ କେବଳ ଘରବାଡ଼ି ଭାଙ୍ଗୁନାହାନ୍ତି, ବରଂ ଧାନ, ପନିପରିବା ଓ ଅନ୍ୟାନ୍ୟ ଫସଲ ନଷ୍ଟ କରି ଚାଷୀଙ୍କୁ ବ୍ୟାପକ କ୍ଷତି ପହଞ୍ଚାଉଛନ୍ତି। ଏହାସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଦେଉଥିବାରୁ ବାରମ୍ବାର ବିଦ୍ୟୁତ ସରବରାହ ବ୍ୟାହତ ହେଉଛି। ଫଳରେ ଅନେକ ଗାଁ ଅନ୍ଧାରରେ ରହୁଥିବା ବେଳେ ପିଲାମାନଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି। ବିଦ୍ୟୁତ ନ ଥିବାରୁ ଛାତ୍ରଛାତ୍ରୀମାନେ ଟର୍ଚ୍ଚ କିମ୍ବା ମୋବାଇଲ ଆଲୋକରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ପ୍ରତିଦିନ ହାତୀପଲର ଉତ୍ପାତ ଯୋଗୁଁ ଗ୍ରାମବାସୀଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ତୁରନ୍ତ ସ୍ଥାୟୀ ପଦକ୍ଷେପ ନେବା, ହାତୀପଲକୁ ଜଙ୍ଗଲ ମୁହାଁ କରାଇବା, କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କୁ ଯଥୋଚିତ କ୍ଷତିପୂରଣ ପ୍ରଦାନ କରିବା ସହ ଜନବସତିର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସ୍ଥାନୀୟ ଲୋକେ ସରକାର ଓ ବନ ବିଭାଗ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial