ଆର୍ଯ୍ୟପଲ୍ଲୀକୁ ଗିଳୁଛି ସମୁଦ୍ର! ଭିଟାମାଟି ହରାଇବା ଭୟରେ ଗ୍ରାମବାସୀ, ପୂରା ଗାଁ ବିସ୍ଥାପନ ନିଷ୍ପତ୍ତି

ଅକ୍ଷର ବ୍ୟୁରୋ: ଦିନକୁ ଦିନ ସମୁଦ୍ର ଗିଳି ଚାଲିଛି ଉପକୂଳ । ହଜିଯାଉଛି ବାଲି, ମାଟି ଓ ଜମି । ଏବେ ଏହାର ପ୍ରଭାବ କେବଳ ପରିବେଶ ଓ ପ୍ରକୃତି ଉପରେ ସୀମିତ ନାହିଁ, ସିଧାସଳଖ ଭାବେ ଲୋକଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରୁଛି । ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀରେ ସମୁଦ୍ର କ୍ଷୟ ଏବେ ଗାଁର ଅସ୍ତିତ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରିଛି । ସମୁଦ୍ର ଯେତିକି ଆଗକୁ ମାଡ଼ି ଆସୁଛି, ସେତିକି ହାତରୁ ଖସି ଯାଉଛି ଲୋକଙ୍କ ଭିଟାମାଟି । ଘରଦ୍ୱାରଠାରୁ ଆରମ୍ଭ କରି ଜୀବିକାର ଉତ୍ସ ପର୍ଯ୍ୟନ୍ତ ସବୁକିଛି ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଏବେ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇଛି । ସମୁଦ୍ର କ୍ଷୟ ଯୋଗୁଁ ଉପକୂଳବର୍ତ୍ତୀ ଲୋକଙ୍କ ମନରେ ବଢ଼ିଛି ଭୟ । ଯେଉଁ ଜମିରେ ଆଜି ଘର ରହିଛି, ଆସନ୍ତାକାଲି ସେହି ଜମି ରହିବ କି ନାହିଁ ତାକୁ ନେଇ ଆଶଙ୍କାରେ ଗ୍ରାମବାସୀ ।

ପିଢ଼ି ପିଢ଼ି ଧରି ରହିଆସିଥିବା ଭିଟାମାଟି ଛାଡ଼ିବାର ଭୟ ଏବେ ସେମାନଙ୍କୁ ଘାରିଛି । ଘର ହରାଇବା ସହ ଜୀବିକାର ଉତ୍ସ ମଧ୍ୟ ହାତଛଡ଼ା ହୋଇଯିବାର ଆଶଙ୍କା ରହିଛି । ଫଳରେ ସମୁଦ୍ର କ୍ଷୟ କେବଳ ଜମି ହରାଇବାର ସଙ୍କଟ ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ଜନଜୀବନର ସଙ୍କଟରେ ପରିଣତ ହୋଇଛି । ଏହାରି ଭିତରେ ଆର୍ଯ୍ୟପଲ୍ଲୀର ପୂରା ଗାଁକୁ ବିସ୍ଥାପନ କରିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ।

ତେବେ ବିସ୍ଥାପନ କେବଳ ଘର ବଦଳାଇବା ନୁହେଁ । ଏହା ସହ ଜଡ଼ିତ ରହିଛି ଲୋକଙ୍କ ଜୀବନ, ଜୀବିକା, ସ୍ମୃତି ଓ ପିଢ଼ି ପିଢ଼ିର ଭିଟାମାଟି ସହ ସମ୍ପର୍କ । ତେଣୁ ନୂଆ ସ୍ଥାନରେ କେବଳ ଘର ଦେଲେ ସମସ୍ୟାର ସମାଧାନ ହେବ ନାହିଁ; ଲୋକଙ୍କ ଜୀବିକା ଓ ମୌଳିକ ଆବଶ୍ୟକତାକୁ ମଧ୍ୟ ସୁନିଶ୍ଚିତ କରିବା ଜରୁରୀ । ସମୁଦ୍ର କ୍ଷୟରୁ ଗାଁକୁ ସୁରକ୍ଷିତ ରଖିବା ଏବଂ ଲୋକଙ୍କୁ ବିସ୍ଥାପନ କରିବା ମଧ୍ୟରେ ପ୍ରଶାସନ ଏବେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ । ଲୋକଙ୍କୁ କେଉଁଠି ଓ କିଭଳି ସ୍ଥାନାନ୍ତର କରାଯିବ, ସେଠାରେ ସେମାନଙ୍କ ଜୀବିକାର ବ୍ୟବସ୍ଥା କିପରି ହେବ ଏବଂ ବିସ୍ଥାପିତ ପରିବାରଙ୍କ ପାଇଁ କିଭଳି ଥଇଥାନ ବ୍ୟବସ୍ଥା କରାଯିବ ଏସବୁ ଏବେ ବଡ଼ ପ୍ରଶ୍ନ । ସମୁଦ୍ରର ଢେଉ ସହ ଆର୍ଯ୍ୟପଲ୍ଲୀର ଅସ୍ତିତ୍ୱ ଯେତିକି ସଙ୍କୁଚିତ ହେଉଛି, ସେତିକି ଗ୍ରାମବାସୀଙ୍କ ମନରେ ଭିଟାମାଟି ହରାଇବାର ଭୟ ବଢ଼ୁଛି । ଏବେ ପ୍ରଶ୍ନ ବିସ୍ଥାପନ ପୂର୍ବରୁ ସୁରକ୍ଷିତ ଭବିଷ୍ୟତର ଗ୍ୟାରେଣ୍ଟି କେବେ ମିଳିବ?

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial