ଅକ୍ଷର ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା। ଗହଣା ଦୋକାନକୁ ଟାର୍ଗେଟ୍ କରି ଗହଳିର ସୁଯୋଗ ନେଇ ଗହଣା ଲୁଟ୍ କରୁଥିବା ଏକ ମହିଳା ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୁଲିସ। ଚନ୍ଦ୍ରଶେଖରପୁର ଥାନା ପୁଲିସ ତିନି ଜଣ ମହିଳାଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁସାରେ, ମହିଳାମାନେ ଚନ୍ଦ୍ରଶେଖର ମାରୁତି ଜୁଏଲାରୀରେ ପଶି ଗହଣା ଲୁଟିଥିଲେ। ଦୋକାନରେ ଗ୍ରାହକଙ୍କ ଭିଡ଼ ଥିବା ସମୟରେ ଯୋଜନାବଦ୍ଧ ଭାବେ ଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ମହିଳାମାନେ ଦୋକାନରେ ପଶି ମଙ୍ଗଳସୂତ୍ର ଦେଖିବା ଆଳ କରିଥିଲେ। ଏହି ସମୟରେ ଦୋକାନୀଙ୍କ ନଜର ଏଡ଼ାଇ ଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି। ଗହଳି ଭିତରେ ଲୁଟ୍ କରିବା ପରେ ସେମାନେ ଦୋକାନରୁ ବାହାରି ଯାଇଥିଲେ।
ତେବେ ଦୋକାନରେ ଲାଗିଥିବା CCTV କ୍ୟାମେରାରେ ମହିଳାଙ୍କ ଲୁଟ୍ ସମୟର ଦୃଶ୍ୟ କଏଦ ହୋଇଥିଲା। CCTV ଫୁଟେଜ୍ ଆଧାରରେ ତଦନ୍ତ ଆଗକୁ ବଢ଼ାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ତିନି ଜଣ ମହିଳାଙ୍କୁ ଠାବ କରି ଗିରଫ କରିଛି। ଦୋକାନ ଭିତରେ ମହିଳାମାନଙ୍କ ଗତିବିଧି ଓ ଗହଣା ଲୁଟ୍ କରିବାର ଦୃଶ୍ୟ CCTVରେ ରେକର୍ଡ ହୋଇଥିଲା। ଏହି ଫୁଟେଜ୍ ଏବେ ସାମ୍ନାକୁ ଆସିଛି। CCTV ଆଧାରରେ ତିନି ମହିଳାଙ୍କୁ ଗିରଫ କରିବା ପରେ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହି ଗ୍ୟାଙ୍ଗ ଆଉ କେଉଁ କେଉଁ ସ୍ଥାନରେ ଲୁଟ୍ କରିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।














Leave a Reply