ରାୟଗଡ଼ାରେ ଭୟଙ୍କର ଦୁର୍ଘଟଣା: ଟୋଲଣା ଘାଟିରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌, ୧୦ ଆହତ; ୮ ଗୁରୁତର

ଅକ୍ଷର ବ୍ୟୁରୋ: ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଟୋଲଣା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌ ଭ୍ୟାନ। ଦୁର୍ଘଟଣାରେ ୧୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଥିବା ଜଣାପଡ଼ିଛି। ତେବେ ଗାଡ଼ିରେ ୧୮ରୁ ଅଧିକ ଶ୍ରମିକ ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁଣପୁର ବ୍ଲକ ଅନ୍ତର୍ଗତ ଶଗଡ଼ା ଗ୍ରାମର ୨୫ରୁ ଅଧିକ ଶ୍ରମିକ ଏକ ମାକ୍ସ ପିକ୍‌ଅପ୍‌ ଭ୍ୟାନରେ ଧାନ ତଳି ରୋଇବା ପାଇଁ ପଦ୍ମପୁର ବ୍ଲକ ଅଭିମୁଖେ ଯାଉଥିଲେ। ଟୋଲଣା ଘାଟି ନିକଟରେ ହଠାତ୍‌ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନରେ ଥିବା ଶ୍ରମିକମାନେ ଆହତ ହୋଇଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ଓ ଗୁଣପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଦୁର୍ଘଟଣାର ଖବର ପାଇ ପୁଟାସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ିଟି କେଉଁ କାରଣରୁ ଭାରସାମ୍ୟ ହରାଇଲା ଏବଂ ଏତେ ସଂଖ୍ୟକ ଶ୍ରମିକଙ୍କୁ କେଉଁ ପରିସ୍ଥିତିରେ ଗାଡ଼ିରେ ନିଆଯାଉଥିଲା, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial