ନୟାଗଡ଼ରେ ଦୁଃସାହସ! ଗାଁ ଭିତରେ ଗୁଳିମାଡ଼, ଯୁବକଙ୍କ ଦୁଇ ଗୋଡ଼କୁ ଗୁଳି କରି ବାଇକ୍ ଲୁଟ୍

ଅକ୍ଷର ବ୍ୟୁରୋ: ନୟାଗଡ଼ ଜିଲ୍ଲାରେ ଅପରାଧୀଙ୍କ ଦୁଃସାହସ। ଗାଁ ଭିତରେ ଗୁଳି ଫୁଟାଇ ଲୁଟ୍ ଅଭିଯୋଗ। ଦାମୀ ୟାମାହା ବାଇକ୍‌ର ଚାବି ନଦେବାରୁ ଜଣେ ଯୁବକଙ୍କ ଦୁଇ ଗୋଡ଼କୁ ଗୁଳି କରି ବାଇକ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣା ଚାନ୍ଦପୁର ଥାନା ଅଞ୍ଚଳର ପଟିଆ ପାଇକସାହିରେ ଘଟିଛି। ଗୁଳିମାଡ଼ରେ ଗୁରୁତର ଯୁବକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ପିଣ୍ଟୁ ନାୟକ।

ସୂଚନା ଅନୁସାରେ, ପିଣ୍ଟୁ ଗାଁ ନିକଟରେ ଥିବା ବନ୍ଧକୁ ଯାଇଥିଲେ। ଏହି ସମୟରେ ଏକ ବାଇକ୍‌ରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ପିଣ୍ଟୁଙ୍କୁ ତାଙ୍କ ବାଇକ୍‌ର ଚାବି ମାଗିଥିଲେ। ହେଲେ ପିଣ୍ଟୁ ଚାବି ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଗୋଟିଏ ଗୋଡ଼କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଏହାପରେ ମଧ୍ୟ ପିଣ୍ଟୁ ଚାବି ନଦେବାରୁ ଅନ୍ୟ ଗୋଡ଼ରେ ମଧ୍ୟ ଗୁଳି କରିଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ପିଣ୍ଟୁ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ୟାମାହା ବାଇକ୍‌ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଗୁଳିମାଡ଼ ପରେ ପିଣ୍ଟୁଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପରେ ଚାନ୍ଦପୁର ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ତୁରନ୍ତ ପହଞ୍ଚି ଗୁରୁତର ପିଣ୍ଟୁଙ୍କୁ ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲା। ପିଣ୍ଟୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।ଘଟଣାକୁ ନେଇ ଚାନ୍ଦପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କିଏ, କେଉଁଠାରୁ ଆସିଥିଲେ ଏବଂ କେଉଁ ଦିଗରେ ଫେରାର ହୋଇଛନ୍ତି, ସେନେଇ ପୁଲିସ ଖୋଳତାଡ଼ କରୁଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ କୌଣସି ଟେର୍ ପାଇନଥିବା ଜଣାପଡ଼ିଛି। ଗାଁ ଭିତରେ ଦିନ ଦ୍ୱିପ୍ରହରରେ ଗୁଳିମାଡ଼ ପରେ ବାଇକ୍ ଲୁଟ୍ ଘଟଣାକୁ ନେଇ ପଟିଆ ପାଇକସାହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏବେ ଦୁର୍ବୃତ୍ତଙ୍କୁ ପୁଲିସ କେବେ ଧରୁଛି, ତା’ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial