ଅକ୍ଷର ବ୍ୟୁରୋ: ମଥୁରା-ବୃନ୍ଦାବନରେ ନିର୍ମାଣାଧୀନ ମଲ୍ରେ ଅଭାବନୀୟ ଅଘଟଣ । ଓମେକ୍ସ କୋର୍ଟୟାର୍ଡ ମଲ୍ରେ ଛାତ ଢଳେଇ କାମ ଚାଲିଥିବା ବେଳେ ହଠାତ୍ ଶଟରିଂ ଧସିପଡ଼ିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଓମେକ୍ସ କୋର୍ଟୟାର୍ଡ ମଲ୍ରେ ଛାତ ଢଳେଇ କାମ ଚାଲିଥିଲା । ଏହି ସମୟରେ ହଠାତ୍ ଶଟରିଂ ଧସିଯାଇଥିଲା । ଫଳରେ କାମ କରୁଥିବା ଶ୍ରମିକମାନେ ତଳେ ଫସିଯାଇଥିଲେ । ଘଟଣା ପରେ ଚିତ୍କାର ଶୁଣି ଆଖପାଖର ଲୋକ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ।
ଖବର ପାଇ ସ୍ଥାନୀୟ ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଥିଲେ । ଉଦ୍ଧାର ପରେ ତିନି ଶ୍ରମିକଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଗ୍ରା ଏସ୍ଏନ୍ ମେଡିକାଲ କଲେଜକୁ ରେଫର କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଶ୍ରମିକଙ୍କ ମଧ୍ୟରେ ନେପାଳର ୪୨ ବର୍ଷୀୟ ଶିବରାମ, ପଶ୍ଚିମବଙ୍ଗର ୨୮ ବର୍ଷୀୟ ରଫ୍ୟୁଲ ଏବଂ ୩୦ ବର୍ଷୀୟ ଆଲାମ ରହିଛନ୍ତି ।
ଅନ୍ୟପଟେ, ନିର୍ମାଣସ୍ଥଳରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟସ୍ଥଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ସେଫ୍ଟି ଗିୟର ଉପଲବ୍ଧ ନଥିଲା । ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ । ସ୍ଥାନୀୟ ଏସ୍ପି ସିଟି ରାଜୀବ କୁମାର ସିଂଙ୍କ ସୂଚନା ଅନୁସାରେ, ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ଅଛନ୍ତି । ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଶଟରିଂ କାହିଁକି ଧସିଲା ଏବଂ ଦୁର୍ଘଟଣା ପଛରେ କାହାର ଅବହେଳା ରହିଛି, ସେନେଇ ତଦନ୍ତ କରାଯିବ ।
















Leave a Reply